ରାଜ୍ୟ
ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର ପୁର୍ନଗଠନକୁ ମଞ୍ଜୁରୀ
ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକମାନଙ୍କର କ୍ୟାଡର ପୁନର୍ଗଠନ ଓ ଗ୍ରେଡ୍ ପେ’ ବୃଦ୍ଧିକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶିକ୍ଷକମାନଙ୍କ ସହ ଆଲୋଚନା ପରେ ସେମାନଙ୍କର ଏହି ଦୀର୍ଘଦିନର ଦାବିକୁ ମାନି ନେଇଛନ୍ତି ।ଏହାଫଳରେ ବିଭିନ୍ନ ବର୍ଗର ପ୍ର୍ରାୟ ୭୨,୫୬୩ଜଣ ପ୍ରାଥମିକ ଶିକ୍ଷକ ଉପକୃତ ହେବେ।ଏହି ଆଲୋଚନାବେଳେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ବିଭାଗୀୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
ସରକାରଙ୍କ ଏହି ନିଷ୍ପତିିକୁ ସ୍ୱାଗତ କରି ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାଜେଶ ମହାନ୍ତି କହିଛନ୍ତି ଯେ, ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଶିକ୍ଷକମାନେ ୨୮୦୦ ଗ୍ରେଡ୍ ପେ ହାରରେ ୭ମ ବେତନ କମିଶନରେ ଦରମା ପାଇବା ପାଇଁ ବାଟ ଖୋଲିଯାଇଛି । ଏହାଦ୍ୱାରା ସମସ୍ତ ପ୍ରାଥମିକ ଶିକ୍ଷକ ପର୍ଯ୍ୟାୟକ୍ରମେ ଉପକୃତ ହେବେ।
ସୂଚନାଯୋଗ୍ୟ ୨୦୧୭ ମସିହା ନଭେମ୍ବର ୮ ତାରିଖରେ ଶିକ୍ଷକମାନଙ୍କର ଏକ ବିଶାଳ ସମାବେଶ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ଓ ସରକାରଙ୍କ ପ୍ରତିଶ୍ରୁତି ପରେ ସଂଘ ଆନ୍ଦୋଳନକୁ ୯ତାରିଖ ଦିନ ସ୍ଥଗିତ ରଖିଥିଲା।ବହୁବାର ସଂଘ ତରଫରୁ ସରକାରଙ୍କ ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଓ ଅର୍ଥବିଭାଗର ଅନୁମୋଦନ ପରେ ଆଜି ସରକାର ଉକ୍ତ ନିଷ୍ପତିକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।ନୂତନ ଏଲିମେଂଟାରୀ କ୍ୟାଡରରେ ସରକାର ବରିଷ୍ଠ ଶିକ୍ଷକ (ସିନିୟର ଟିଚର), ସ୍ନାତକ ଶିକ୍ଷକ (ଗ୍ରାଜୁଏଟ୍ ଟିଚର) ଓ ବରିଷ୍ଠ ପ୍ରଧାନ ଶିକ୍ଷକ(ସିନିୟର ହେଡ୍ମାଷ୍ଟର) ପଦବୀମାନ ସୃଷ୍ଟି କରିଛନ୍ତି ।ଏହି ଘୋଷଣା ପରେ ସଂଘର ସଭାପତି ରାଜେଶ ମହାନ୍ତି ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ସଚିବ ଓ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସଂଘ ତରଫରୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଆଜିର ଏହି ଘୋଷଣା ସମୟରେ ସଂଘର ସାଧାରଣ ସଂପାଦକ ଖଗେନ୍ଦ୍ରନାଥ ପାଳ, ମହାସଚିବ ବିକ୍ରମ ରଥ, କାର୍ଯ୍ୟକାରୀ ସଭାପତି ସହସ୍ରାଂଶୁ ଶେଖର ମହାନ୍ତି, ପୁର୍ଣ୍ଣାନନ୍ଦ ଆଚାର୍ଯ୍ୟ, ଉପସଭାପତି ମହେନ୍ଦ୍ର କୁମାର ମିଶ୍ର, ଅଶ୍ୱିନୀ କୁମାର ରାଉତ, ଶମ୍ଭୁ ଗିରି, ରାଜଲକ୍ଷ୍ମୀ ମହାପାତ୍ର, ମନୋଜ କୁମାର ମହନ୍ତ, ସାଙ୍ଗଠନିକ ସମ୍ପାଦକ ଅନନ୍ତ କୁମାର ପରିଡ଼ା, ପ୍ରମୋଦ କୁମାର ଭଞ୍ଜ, ତଭରେଜ୍ ଖାଁ, ବରିଷ୍ଠ ସଦସ୍ୟ ଉମାକାନ୍ତ ଦାସ, ମାୟାଧର ମଲ୍ଲିକ, ଅଦୈତ କୁମାର ଜେନା, ଭବେଶ କୁମାର ପାଣିଗ୍ରାହୀ, ରବିନ୍ଦ୍ର କୁମାର ରାଉତ, ସୁଶ୍ରୀସ୍ମିତା ମହାନ୍ତି, ସୁରମା ନନ୍ଦ, ଅକ୍ଷୟ ମଲ୍ଲିକ, ଅରବିନ୍ଦ ଦୀକ୍ଷିତ୍, ବିଷ୍ଣୁଚରଣ ମହାନ୍ତି, ଦୋଳଗୋବିନ୍ଦ ପଣ୍ଡା, ଶଶାଙ୍କ ପଣ୍ଡା, ରାଜେନ୍ଦ୍ର ମହନ୍ତ, କୋଷାଧ୍ୟକ୍ଷ ପବିତ୍ର ମୋହନ ଜେନା ଓ ମିଡ଼ିଆ ସଂଯୋଜକ ସୁନିଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।