ରାଜନୀତି
ନବୀନ-ନରସିଂହଙ୍କ ମଧ୍ୟରେ ଅଛି ସୁସମ୍ପର୍କ: ଶଗରିଆ
ଭୁବନେଶ୍ୱର(ଓଡବ୍ଲ୍ୟୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସୁସମ୍ପର୍କ ରହିଛି।ଯେଉଁଥିପାଇଁ ଦଳିତ ଓ ଆଦିବାସୀଙ୍କ ସମସ୍ୟା ସମ୍ପର୍କରେ ଶ୍ରୀ ମିଶ୍ର ସର୍ବଦା ଚୁପ୍ ରହିଥାନ୍ତି।ଏପରିକି ବିଧାନସଭାରେ ଏସବୁ ପ୍ରସଙ୍ଗ ଉଠାଇବା ପରିବର୍ତେ ମୁଖ୍ୟମନ୍ତ୍ରୀଙ୍କ ପାଦ ଧରି ଅନୁରୋଧ କରିବାକୁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପରାମର୍ଶ ଦେଇଥାନ୍ତି।କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ଶ୍ରୀ ଶଗରିଆ କହିଛନ୍ତି ଯେ, ଗତକାଲି ସେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ପାଖକୁ ଏକ ଚିଠି ପଠାଇଛନ୍ତି।ଯାହାକୁ ସେ ଆଜି ସମସ୍ତ ଗଣମାଧ୍ୟମକୁ ଦେଇଛନ୍ତି।ତାଙ୍କ ଚିଠି ଉପରେ ଶ୍ରୀ ମିଶ୍ରଙ୍କ ପ୍ରତିକ୍ରିୟାକୁ ସେ ଅପେକ୍ଷା କରିଛନ୍ତି।କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମକୁ ବିଧାନସଭାରେ ଉପସ୍ଥାପିତ କରିବାକୁ ଗୋଟିଏ ମିନିଟ୍ ସମୟ କାଢ଼ି ପାରିନଥିବା ଶ୍ରୀ ମିଶ୍ର ବିରୋଧୀ ଦଳ ନେତା ପଦରେ ଥାଇ ମଧ୍ୟ ଆଦିବାସୀ ଓ ଦଳିତଙ୍କ ସାମ୍ବିଧାନିକ ସୁରକ୍ଷାକୁ ନେଇ ମୁହଁ ଖୋଲିନାହାନ୍ତି।ଶ୍ରୀ ମିଶ୍ର ସବୁବେଳେ ନିଜସ୍ୱ ଫାଇଦାର ରାଜନୀତି କରୁଛନ୍ତି।କଂଗ୍ରେସ ଭବନରେ ୧୫ତାରିଖରେ ବୈଠକବେଳେ ତାଙ୍କର ଇସ୍ତଫା ପ୍ରସଙ୍ଗରେ ନରସିଂହ ମିଶ୍ରଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।ଗଣଦୁଷ୍କର୍ମର ଶିକାର ଜଣେ ଦଳିତ ନାବାଳିକା ନ୍ୟାୟ ନପାଇ ଆତ୍ମହୂତି ଦେବା ସର୍ବଦା ତାଙ୍କର ବିବେକକୁ ଦଂଶନ କରୁଥିଲା।ସରକାରୀ କଳ ତ ସେ ଝିଅକୁ ନ୍ୟାୟ ଦେଲାନି।ଯାହାର ପ୍ରତିବାଦରେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ତା’ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।କିନ୍ତୁ ତାଙ୍କର ଇସ୍ତଫାକୁ ରାଜନୀତିକରଣ କରି କିଛି ଦଳୀୟ ନେତାଙ୍କ ଚାପରେ ସେ ଇସ୍ତଫା ଦେଇଥିବା ନରସିଂହ ମିଶ୍ର ମତ ଦେଇଛନ୍ତି।କିନ୍ତୁ ତାଙ୍କୁ ନିନ୍ଦିତ କରିବା ପାଇଁ ଶ୍ରୀ ମିଶ୍ର ଯେଉଁ ଉଦ୍ୟମ କରିଛନ୍ତି ସେଥିରେ ସଫଳ ହେବେନି।ବରଂ ଇସ୍ତଫା ଦେବା ପାଇଁ ସେ ନିଜର ବିବେକର ଆହ୍ୱାନକୁ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ଶଗରିଆ କହିଛନ୍ତି।
ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ ଶ୍ରୀ ଶଗରିଆ କହିଛନ୍ତି ଯେ, ଦଳିତ ଓ ଆଦିବାସୀଙ୍କ ସମସ୍ୟା ସମ୍ପର୍କରେ ଅନେକ ଥର ତାଙ୍କ ସହ ଆଲୋଚନା କଲେ ବି ସେ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ।ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ‘ସଂରକ୍ଷଣ’ ଦେବା ପାଇଁ ବିଧାନସଭାରେ ଦାବି କରାଗଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ଧରିବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ।ତାଙ୍କ କଥା ମାନି ଅନେକ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଦତଳେ ପଡ଼ିଥିଲେ।ଯାହା ଗଣମାଧ୍ୟମରେ ବହୁଳ ପ୍ରଚାରିତ ହେଲା।କିନ୍ତୁ ବିରୋଧୀ ଦଳ ନେତା ଭାବେ ଶ୍ରୀ ମିଶ୍ର ଚୁପ୍ଚାପ ବସିରହିଲେ।ଶ୍ରୀ ଶଗରିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀ ମିଶ୍ରଙ୍କର ଥିବା ସୁସମ୍ପର୍କର ଫାଇଦା ଉଠାଇ ଦଳିତ ଓ ଆଦିବାସୀ ସମାଜ କିଛି ଲାଭବାନ ହେବ ବୋଲି ଭାବିଥିଲି କିନ୍ତୁ ତା’ବଦଳରେ ଶ୍ରୀ ମିଶ୍ର କେବଳ ଅପମାନ ଦେଲେ।ହଜାର ହଜାର ବର୍ଷ ଧରି ଅନ୍ୟାୟ ସହିଥିବା ଦଳିତ ଓ ଆଦିବାସୀମାନେ ଏହାକୁ ଆଉ କିଛିଦିନ ସହିଲେ ଭାଙ୍ଗି ପଡ଼ିବେ ନାହିଁ ବୋଲି ସେ କହିଥିଲେ।ସମାଜ ଏବେ ବଦଳୁଛି ଓ ଶ୍ରୀ ମିଶ୍ର ମଧ୍ୟ ବଦଳିବେ ବୋଲି ଶ୍ରୀ ଶଗରିଆ ଆଶାବ୍ୟକ୍ତ କରିଛନ୍ତି।
ତାଙ୍କର ଇସ୍ତଫା ସମ୍ପର୍କରେ ଶ୍ରୀ ମିଶ୍ରଙ୍କୁ ପରାମର୍ଶ ଦେଇ ଶ୍ରୀ ଶଗରିଆ କହିଛନ୍ତି ଯେ ଜଣେ ଦଳିତ ଭାବେ ସେ ତାଙ୍କର ଧର୍ମ ପାଳନ କରୁଛନ୍ତି, ଆଉ ବିରୋଧୀ ଦଳ ନେତା ଭାବେ ସେ ବି ତାଙ୍କର ଧର୍ମ ପାଳନ କରନ୍ତୁ।