ରାଜ୍ୟ

କଂଗ୍ରେସ ଛାଡ଼ିଲେ ଯୋଗେଶ ସିଂ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ବିଧାୟକ ପଦରୁ ବି ଇସ୍ତଫା ଦେଉଥିବା କଥା ଏଥିରେ ଉଲ୍ଲେଖ କରିଛନ୍ତି।

ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତକାଲି ତାଙ୍କୁ ଏଆଇସିସିର ନିଷ୍ପତ୍ତିକ୍ରମେ ପିସିସି ଶୃଙ୍ଖଳା କମିଟି ତାଙ୍କୁ ନିଲମ୍ବନ କରିଥିଲା।

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ଯୋଗେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, “ମୋ ନିର୍ବାଚନ ମଣ୍ଡଳୀ ପାଇଁ ମୁଁ ଯେତେବେଳେ ଯାହା ଦାବି କରିଛି, ସରକାରଙ୍କ ପକ୍ଷରୁ ଅନେକାଂଶରେ ତାହା ପୂରଣ କରାଯାଇଛି। ବ୍ୟକ୍ତି ହିସାବରେ ନବୀନ ପଟ୍ଟନାୟକ ବହୁତ ବଢ଼ିଆ। ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ। ସେ ଜଣେ ଦକ୍ଷ ଶାସକ। ସେଥିପାଇଁ ୧୮ ବର୍ଷ ହେଲା ଶାସନ କରୁଛନ୍ତି। ଲୋକେ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ସେ ଏତେ ବର୍ଷ ହେଲାଣି ଶାସନ କରୁଛନ୍ତି।”

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା କେମିତି ଦଳ ବିରୋଧୀ କାର୍ଯ୍ୟ ହେଲା ବୋଲି ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି। ଏହା ସହିତ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ବେଳେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିପାରିବେନି ବୋଲି ଯୋଗେଶ ସ୍ପଷ୍ଟ ଭାବେ କହିଥିଲେ। ତାଙ୍କ ନିର୍ବାଚନମଣ୍ଡଳୀର କେତେକ ଗ୍ରାମାଞ୍ଚଳରେ ମାସକ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଥିବାରୁ ସେ ରାହୁଲଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ପାଇଁ ଜନତା ହେଉଛନ୍ତି ପ୍ରଥମ ହାଇକମାଣ୍ଡ। ଦଳ ହାଇକମାଣ୍ଡ ତାଙ୍କ ପାଇଁ ଦ୍ୱିତୀୟ। ଯୋଗେଶ ବି ବିଜେଡିରେ ଯୋଗ ଦେବେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version