ରାଜନୀତି

ବଦଳିଲା ନବୀନଙ୍କ ଷ୍ଟାଇଲ: ଓଡ଼ିଶା ପାଇଁ ମାଗିଲେ ଆର୍ଥିକ ସ୍ୱାତନ୍ତ୍ରତା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୫ବର୍ଷ ପୂର୍ବରୁ ପିତା ବିଜୁ ପଟ୍ଟନାୟକ ଓଡ଼ିଶାକୁ ଆର୍ଥିକ ସ୍ୱାଧୀନତା ଦେବା ନେଇ ଉଠାଇଥିବା ପ୍ରସଙ୍ଗକୁ ତାଙ୍କ ପୁଅ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦୋହରାଇଛନ୍ତି ।ଏହା ସହିତ କେନ୍ଦ୍ର ସରକାରଙ୍କ ୯ଟି ବିଫଳତାକୁ ଲୋକଙ୍କ ନିକଟରେ ପହଂଚାଇବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ।
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଦଳର ୨୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, କଂଗ୍ରେସ ହେଉ ବା ବିଜେପି କାହାର ଓଡ଼ିଶା ପ୍ରତି ସାମାନ୍ୟ ଦରଦ ନାହିଁ। କେବଳ ନିର୍ବାଚନ ଆସିଲେ ସେମାନେ ବଡ଼ବଡ଼ ସ୍ୱପ୍ନ ଦେଖାଇବେ ଓ ଗୁଡ଼ାଏ ଶିଳାନ୍ୟାସ କରିବେ। ପରବର୍ତୀ ସମୟରେ ଆଉ ସେମାନଙ୍କର ଦେଖା ମିଳିବ ନାହିଁ।ଆମେ କଥାରେ ନୁହେଁ,କାମରେ ବିଶ୍ୱାସ କରୁ।ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବା ଆଂଚଳିକ ଦଳଗୁଡ଼ିକର ଦେଶରେ ଲୋକପ୍ରିୟତା ବଢ଼ୁଛି ।ସେଥିପାଇଁ ବିଜେଡି ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି ।ଓଡ଼ିଶାବାସୀଙ୍କ ହକ୍ ଓ ସ୍ୱାଭିମାନ ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେ କହିଥିଲେ।
କେନ୍ଦ୍ରର ବୈମାତୃକ ମନୋଭାବକୁ ଚ୍ୟାଲେଞ୍ଜ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, “ମୋର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସରକାର ନାହିଁ,କେନ୍ଦ୍ରୀୟ ପାଣ୍ଠି କି ଅନୁଦାନ ଲୋଡ଼ା ନାହିଁ । ମୋତେ ଆର୍ଥିକ ସ୍ୱାୟତତା ଦିଅ, ମୁଁ ଓଡ଼ିଶାକୁ ଦକ୍ଷିଣ ଏସିଆର ଏକ ଆଗୁଆ ରାଜ୍ୟ କରି ଗଢ଼ିତୋଳିବି ।ଓଡ଼ିଶା ଟଙ୍କାରେ ମୁଁ ଓଡ଼ିଶାବାସୀଙ୍କ ଉନ୍ନତି କରିବି।

ତେବେ ଦୁଇ ଦିନ ପୂର୍ବରୁ ଓଡ଼ିଶା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଟାଗେର୍ଟ କରି ପଚାରିଥିବା ୮ଟି ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ନବୀନ ଓଲଟା କେନ୍ଦ୍ର ସରକାରଙ୍କ ଅବହେଳାର ୯ଟି ପ୍ରସଙ୍ଗ ଉତଥାପନ କରିଛନ୍ତି। ଏହି ୯ଟି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ସଫଳତା ବୋଲି କଟାକ୍ଷି କରିବା ସହ ଘରେ ଘରେ ପହଞ୍ଚାଇବାକୁ ଆହ୍ବାନ କରିଥିଲେ। ଏସବୁ ପ୍ରଶ୍ନର ଜବାବ ଓଡ଼ିଶା ମାଗୁଛି ବୋଲି ନବୀନ କହିଛନ୍ତି।

୧. ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ, କୋଷ୍ଟାଲ ହାଇୱେ କେବେ ହେବ ?
୨. ଟେଲିକମ: ଗଛ ଉପରେ ଚଢ଼ିଲେ ଆସୁଛି ନେଟୱାର୍କ, କେବେ ଗାଁରେ ପହଁଚିବ ଟେଲିକମ ନେଟୱାର୍କ ?
୩. ରେଲବାଇ : ରେଳବାଇରେ ଉନ୍ନତି କେବଳ ପ୍ଲାଟପର୍ମ ଟିକେଟ ଆସିଛି । ଟିକେଟ ଦର ବୃଦ୍ଧି ପାଇଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳବାଇ ଇତିହାସରେ ରହିଲା ଭଳି ଲାଗୁଛି ।
୪. ବ୍ୟାଙ୍କ ସୁବିଧା ନାହିଁ ।
୫. କୋଇଲା ନିଲାମ: କୋଇଲା ବ୍ଲକ ନିଲାମ ହେଲେ ଓଡ଼ିଶା ୭୦ ହଜାର କୋଟି ଟଙ୍କା ପାଇବ ବୋଲି କହିଥିଲେ । ହେଲେ ୩ ବର୍ଷରେ ମାତ୍ର ୩୭୦ କୋଟି ଟଙ୍କା ମିଳିଛି ।
୬. ଚାଷୀ: ଚାଷୀଙ୍କୁ ଠିକ ସମୟରେ କ୍ଷତିପୂରଣ ମିଳିଲାନି । ଉଚିତ ମୂଲ୍ୟ ମିଳିଲାନି । ବେସରକାରୀ ବୀମା କମ୍ପାନୀ ଲାଭବାନ ହେଲେ ।
୭. ଇସ୍ତାହାର : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଏମଏସପି, ମହିଳାଙ୍କ ପାଇଁ ୩୩% ସଂରକ୍ଷଣ କିଛି ହେଲାନାହିଁ । ସାଢ଼େ ୪ ବର୍ଷ ବିତିଗଲାଣି।
୮.ଏସସି ଏସଟି ବିକାଶ : ଆଦିବାସୀ ଅଂଚଳର ବିକାଶ ପାଇଁ ଟଙ୍କା ବନ୍ଦ କରିଦେଲେ । ଗରିବ ଏସସିଏସି ଛାତ୍ରଛାତ୍ରୀଙ୍କ ବୃତି ଅର୍ଥ ମଧ୍ୟ ଦେଲେନାହିଁ ।
୯. ଉଜ୍ଜ୍ୱଳା : ବହୁତ ପ୍ରଚାର ହେଉଛି । ସବୁଆଡ଼େ ବଡ଼ବଡ଼ ହୋଡିଂ ଲାଗିଛି । ୪୦ ଲକ୍ଷ ମହିଳାଙ୍କୁ ଗ୍ୟାସ କନେକ୍ସନ ଦିଆଗଲା ବୋଲି କୁହାଗଲା, ହେଲେ କେତେଜଣ ରିଫିଲ କଲେ ? ଗ୍ୟାସ ଦର କେତେ ଆପଣମାନେ ଜାଣନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version