ରାଜନୀତି

ନିର୍ବାଚନରେ ନୂଆ ମୁହଁକୁ ଗୁରୁତ୍ୱ ଦେବ କଂଗ୍ରେସ

Posted on

ଭୁବନେଶ୍ୱର : ୨ଦିନ ଧରି ବିଚାରବିମର୍ଶ ଓ ସାଂଗଠନିକ ପ୍ରକ୍ରିୟାରେ ସୁଧାର କରିବା ପରେ ରାଜ୍ୟ କଂଗ୍ରେସ ଆଗାମୀ ସାଧାରଣ ନିର୍ବାଚନରେ ନୂଆ ମୁହଁକୁ ଗୁରୁତ୍ୱ ଦେବ। ଯେଉଁ ନେତାମାନେ ଗତ ସାଧାରଣ ନିର୍ବାଚନରେ ନିଜର ଜମାନତ ରଖିବାରେ ସକ୍ଷମ ହୋଇନଥିଲେ ସେମାନଙ୍କୁ ଏଥର ଟିକେଟ୍ ମିଳିବ ନାହିଁ। ବିଶେଷକରି ବରିଷ୍ଠ ଓ ପୁରୁଖା ନେତାଙ୍କ ନିର୍ବାଚନ ଲଢ଼ିବା ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଆଉ ଏଥର ବିଧାୟକ ହୋଇଥିବା ସମସ୍ତ ୧୫ଜଣ ନେତାଙ୍କୁ ପୁଣିଥରେ ପ୍ରାର୍ଥୀ କରାଯିବ । ଅପରାଧରେ ଦୋଷୀ ସାବ୍ୟସ୍ତ ନେତାଙ୍କୁ ଟିକେଟ୍ ମିଳିବ ନାହିଁ।
ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକ ପରେ ଦଳ ଭିତରେ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ଏଭଳି ମାପଦଣ୍ଡ ପ୍ରସ୍ତୁତ ହୋଇଛି। ଏ ସମ୍ପର୍କରେ ଦଳର କାର୍ଯ୍ୟକାରୀ ଉପସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ, ଯଦି କୌଣସି ନିର୍ବାଚନମଣ୍ଡଳୀରେ ସେଭଳି ଯୋଗ୍ୟ ପ୍ରାର୍ଥୀ ନଥିବେ ତା’ହେଲେ ପରାଜିତ ପ୍ରାର୍ଥୀଙ୍କୁ ପୁଣିଥରେ ଟିକେଟ୍ ମିଳିବାର ସମ୍ଭାବନା ରହିଛି। ତେବେ ସେଭଳି କ୍ଷେତ୍ରରେ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ଗୁରୁତ୍ୱ ଦିଆଯିବ । ଅପରପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଗୋଟିଏ ପରିବାରରୁ ଦୁଇଜଣଙ୍କୁ ଟିକେଟ୍ ଦେବାରେ କୌଣସି ସମସ୍ୟା ନାହିଁ । ଯେଉଁମାନେ ରାଜନୀତିରେ ଅଛନ୍ତି ଓ ନିଜର ସମୟ ଦେଉଛନ୍ତି ସେମାନଙ୍କୁ କିଭଳି ଅଣଦେଖା କରାଯିବ । ମାତ୍ର ଯେଉଁମାନେ ପରାଜିତ ହୋଇଛନ୍ତି ସେମାନଙ୍କୁ ଏଥର ଟିକେଟ୍ ମିଳିବ ନାହିଁ।
ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ସେ ଆଜି ଦଳର କିଛି ନେତାଙ୍କ ସହ ଏକୁଟିଆ ବୈଠକ କରିଛନ୍ତି । ଯେଉଁମାନେ କମ୍ ଭୋଟ୍ ବ୍ୟବଧାନରେ ଗତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ ସେଭଳି କିଛି ନେତାଙ୍କ ସହ ସେ ସାଂଗଠନିକ ସ୍ଥିତି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ନେତାମାନଙ୍କ ମଧ୍ୟରେ ଶରତ ରାଉତ, ସୁରେଶ ରାଉତରାୟ, ସାଧୁ ନେପାକ, ସନ୍ତୋଷ ସିଂ ସାଲୁଜା, କେ.ସୂର୍ଯ୍ୟାରାଓ, ତିରୁପତି ପାଣିଗ୍ରାହୀ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version