ରାଜ୍ୟ
ଓଡ଼ିଶାରେ ଆତ୍ମପ୍ରକାଶ କରିବ ଆଉ ଏକ ନୂଆ ଦଳ
ଭୁବନେଶ୍ୱର(ଓଡ଼ିଶା ୱେୟାର): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଉ ଏକ ନୂଆ ଦଳ ଆତ୍ମପ୍ରକାଶ କରିବାକୁ ଯାଉଛି। ‘ଓଡ଼ିଶା ଲୋକତନ୍ତ୍ର ଦଳ’ ନାଁରେ ନୂଆ ଦଳ ଗଢ଼ା ହେବାକୁ ଯାଉଥିବାବେଳେ ହେମନ୍ତ ରଥଙ୍କ ‘କଳିଙ୍ଗ ସେନା’କୁ ଦଳୀୟ ଚିହ୍ନ ‘ବ୍ୟାଟ୍’ ମିଳିଛି।
ଜାତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ‘ଓଡ଼ିଶା ଲୋକତନ୍ତ୍ର ଦଳ’ ନାଁରେ ଏକ ନୂଆ ରାଜନୀତିକ ପାର୍ଟି ଗଠନ ପାଇଁ ଆବେଦନ ହୋଇଛି। ଏହି ଦଳର ସଭାପତି ଭାବେ ଶୈଳେନ୍ଦ୍ର ନାରାୟଣ ସିଂହଦେଓ, ଉପସଭାପତି ଭାବେ ପ୍ରଫୁଲ୍ଲ କୁମାର ସାହୁ, ସାଧାରଣ ସମ୍ପାଦକ- ତ୍ରିନାଥ ବେହେରା ଓ କୋଷାଧ୍ୟକ୍ଷ-ଲକ୍ଷ୍ମୀଧର ବେହେରା ଅଛନ୍ତି। ପ୍ରସ୍ତାବିତ ଦଳର ସମସ୍ତ କର୍ମକର୍ତ୍ତାଙ୍କ ଘର ହିନ୍ଦୋଳ ଥିବା ଜଣାପଡ଼ିଛି। ଜନସମୃଦ୍ଧି ପାର୍ଟି ଗଠନର ଦୀର୍ଘଦିନ ପରେ ଏହି ନୂଆ ଦଳ ଗଢ଼ା ହେବାକୁ ଯାଉଛି।
ରାଜ୍ୟରେ ଅନେକ ରାଜନୀତିକ ହଟଚମଟ ମଧ୍ୟରେ ଏହି ନୂଆ ଦଳ ଗଢ଼ା ଯାଉଥିବାରୁ ତାକୁ ନେଇ ରାଜନୀତିକ ମହଲରେ ନାନାଦି ଚର୍ଚ୍ଚା ଏବେଠୁ ଆରମ୍ଭ ହୋଇଗଲାଣି। ରାଜ୍ୟର ପ୍ରମୁଖ ବରିଷ୍ଠ ଓ ଅଭିଜ୍ଞ ନେତା ଡାକ୍ତର ଦାମୋଦର ରାଉତ, ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ ଓ ଶ୍ରୀକାନ୍ତ ଜେନା ଏବେ କୌଣସି ରାଜନୀତିକ ଦଳରେ ନଥିଲେ ମଧ୍ୟ ସେମାନେ ନୂଆ ଦଳ ଗଠନ ପାଇଁ ଆବେଦନ କରିନଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏବେ ସମତା କ୍ରାନ୍ତି ଦଳ, କୋଶଳ କ୍ରାନ୍ତି ଦଳ, ଆମ ଓଡ଼ିଶା ପାର୍ଟି, ବିଜୁ ସେନା, ଗଣ ଅଭିଯାନ ଓଡ଼ିଶା, ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି, କଳିଙ୍ଗ ସେନା, ଓଡ଼ିଶା ଜନ ମୋର୍ଚ୍ଚା, ନିଖିଳ ଉକ୍ରଳ ଆଦିବାସୀ କଂଗ୍ରେସ, ସମୃଦ୍ଧ ଓଡ଼ିଶା, ଉକ୍ରଳ ଭାରତ ଭଳି ଅନେକ ଛୋଟ ଦଳ ରହିଛନ୍ତି। ଏସବୁ ଦଳର କାର୍ଯ୍ୟାଳୟର ମୁଖ୍ୟ ଠିକଣା ଓଡ଼ିଶାରେ ହିଁ ରହିଛି।
ଅନ୍ୟପକ୍ଷରେ ଗତ ୫ତାରିଖରେ ‘କଳିଙ୍ଗ ସେନା’କୁ ଜାତୀୟ ନିର୍ବାଚନ କମିଶନ ଦଳୀୟ ଚିହ୍ନ ‘ବ୍ୟାଟ୍’ ଦେଇଛନ୍ତି। ଏହି ଚିହ୍ନରେ କଳିଙ୍ଗ ସେନା ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଓହ୍ଲାଇ ପାରିବ ବୋଲି ଜଣାପଡ଼ିଛି।