Latest

ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

Posted on

ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛିି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଧାନସଭାରେ ବିଧାୟକମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଗୃହକୁ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ଗୃହରେ ଆଜି ଦିବଂଗତ ସଦସ୍ୟ ଓ ଶହୀଦଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ପାରିତ ହେବାପରେ ଗୃହକାର୍ଯ୍ୟକୁ ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି । ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ଗୃହକୁ ଦେଶର ରାଷ୍ଟ୍ରପତି ସମ୍ବୋଧିତ କରିବେ ।
ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଶୋକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଗୃହର ପୂର୍ବତନ ସଦସ୍ୟ ଦିଂବଗତ ହେମେନ୍ଦ୍ର ପ୍ରସାଦ ମହାପାତ୍ର, କୃଷ୍ଣଚନ୍ଦ୍ର ମଲ୍ଲିକ ଓ ଓଡ଼ିଶା ପୁଲିସର ପୂର୍ବତନ କନେଷ୍ଟବଳ ସରୋଜ କୁମାର ପ୍ରଧାନଙ୍କ ସମ୍ମାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଣିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ କରି ଦିବଂଗତଙ୍କ ସ୍ମୃତିଚାରଣ କରିଥିଲେ । ଏହାପରେ ବାଚସ୍ପତି ଗୃହରେ ଆଜି ପାଇଁ ନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକୁ ବାତିଲ ଘୋଷଣା କରିବା ସହ ଅପରାହ୍ନ ସାଢ଼େ ୪ଟାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ରହିଥିବାରୁ ବିଧାୟକମାନଙ୍କ ପାଇଁ ପରାମର୍ଶ ଜାରି କରିଥିଲେ । ରାଷ୍ଟ୍ରପତିଙ୍କ ସହ ଫଟୋ ଉଠା କାର୍ଯ୍ୟକ୍ରମ ପାଇଁ ସମସ୍ତ ବିଧାୟକଙ୍କୁ ଅପରାହ୍ନ ୪ଟା ୧୦ମିନିଟ୍ ସୁଦ୍ଧା ବାଚସ୍ପତିଙ୍କ ପୋର୍ଟିକ ସାମ୍ନାରେ ଥିବା ନିର୍ବାଚନୱାରୀ ସିଟରେ ବସିବା ପାଇଁ ଅନୁରୋଧ କରାଯାଇଛି ।
ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଧାନସଭାକୁ ଆସି ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ବିଧାନସଭା ପରିସରରେ ଉପସ୍ଥିତ ରହିବେ । ବାଚସ୍ପତି ଶ୍ରୀମତୀ ମୁର୍ମୁ ଗୃହରେ ବିଧାୟକମାନଙ୍କୁ ସମ୍ବୋଧିତ କରିବେ । ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ଗୃହକୁ ସମ୍ବୋଧିତ କରିବେ । ଏହି ଐତିହାସିକ ମୁହୂର୍ତ୍ତରେ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି, ରାଜ୍ୟର ସାଂସଦ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ପରେ ବିଧାନସଭାର ୧୧ ନମ୍ବର ରୁମକୁ ଯିବେ । ୨୦୦୦ରୁ ୨୦୦୪ ମସିହା ମଧ୍ୟରେ ସେ ରାଇରଙ୍ଗପୁରରୁ ବିଧାୟିକା ତଥା ରାଜ୍ୟ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଥିବାବେଳେ ବିଧାନସଭା ପରିସରରେ ଏହି ୧୧ ନମ୍ବର ରୁମ୍ ତାଙ୍କର ଅଫିସ୍ ପ୍ରକୋଷ୍ଠ ଥିଲା । ରାଷ୍ଟ୍ରପତିଙ୍କ ସମ୍ମାନରେ ଏହି ଚାମ୍ବରକୁ ସ୍ୱତନ୍ତ୍ର ଭାବେ ସଜ୍ଜିତ କରାଯାଇଛି ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତାକାଲି ଅପରାହ୍ନ ୨ଟାରେ ଭୁବନେଶ୍ୱରରେ ପହଂଚିବା ପରେ ରାଜଭବନରେ ତାଙ୍କୁ ସାଢ଼େ ୨ଟାରୁ ପ୍ରାୟ ୧୫ମିନିଟ୍ ପର୍ଯ୍ୟନ୍ତ ରାଜ୍ୟପାଳ, ୩ଜଣ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତି, ପୂର୍ତ୍ତ ମନ୍ତ୍ରୀ , ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଗୃହ ସଚିବ ଓ ପୁଲିସ ଡିଜି ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଧାନସଭା ଅଧିବେଶନ ଓ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ତଥା ବିଧାନସଭା ଚାରିପାଖରେ ଚାରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଏହି ଶୀତ ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ମୋଟ ୨୯ଟି କାର୍ଯ୍ୟଦିବସ ରହିଛି । ଶୀତ ଅଧିବେଶନର ଦ୍ୱିତୀୟ ଦିନ ନଭେମ୍ବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ଗୃହରେ ଉପସ୍ଥାପନ କରିବେ । ଏହା ବ୍ୟତୀତ ବିଭିନ୍ନ ବିଲ୍ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ।

Leave a Reply

Your email address will not be published. Required fields are marked *

Most Popular

Exit mobile version