Latest

ଜୁଲାଇ ୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍ : କେଉଁ ଜିଲ୍ଲାରେ କୋହଳ ହେଲା ଲକଡାଉନ୍‌, ପଢ଼ନ୍ତୁ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଉଥିଲେ ମଧ୍ୟ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ଜୁଲାଇ ୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି ରାଜ୍ୟ ସରକାର ଲକଡାଉନ୍ ନିୟମକୁ ଆଂଶିକ କୋହଳ କରିଛନ୍ତି। ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଓ ଅଧିକ ପଜେଟିଭ୍ ହାର ଥିବା ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ଦୁଗ୍ଧ ଚାଷୀଙ୍କ ଜୀବିକା ଦୃଷ୍ଟିରୁ ମିଠା ଦୋକାନକୁ ଖୋଲିବା ପାଇଁ ଅନୁମତି ଦିଆଯିବା ସହ ସାଇକେଲ ଦୋକାନ, ମଟରଯାନ ମରାମତି ଦୋକାନ ଏବଂ ଗାଡ଼ି ଶୋ’ ରୁମ୍ ଖୋଲିବା ନିମନ୍ତେ ଅନୁମତି ଦିଆଯାଇଛି । ପୂର୍ବ ପର୍ଯ୍ୟାୟରେ ନିଷିଦ୍ଧ ଥିବା ଗତିବିଧି ଉପରେ ପୂର୍ବଭଳି କଟକଣା ଜାରି ରହିଛି ।
ରାଜ୍ୟ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରଥମେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେବାପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି । ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଲକଡାଉନ୍ କୋହଳ ପାଇଁ ରାଜ୍ୟର ୩୦ଟି ଜିଲ୍ଲାକୁ ୨ଟି ଭାଗରେ ବିଭକ୍ତ କରାଯାଇଛି। ବର୍ଗ-କରେ ୧୭ଟି ଜିଲ୍ଲା ଓ ବର୍ଗ-ଖରେ ୧୩ଟି ଜିଲ୍ଲାକୁ ତାଲିକାଭୁକ୍ତ କରାଯାଇଛି।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ଥିବାରୁ ସେଠାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦ୍ରବ୍ୟ ଦୋକାନ ଖୋଲା ରହିବ। ରାସ୍ତାକଡ଼ ଖାଦ୍ୟ ଓ ଜଳଖିଆ ଦୋକାନ ଖୋଲା ହେବ। ତେବେ ସେଠାରୁ ଲୋକେ କେବଳ ପାର୍ସଲ ନେଇପାରିବେ। ଦୋକାନରେ ବସି ଖାଇବା ଉପରେ ପୂର୍ବଭଳି କଟକଣା ରହିବ।
ସଂକ୍ରମଣ ଅଧିକ ଥିବା ଅନ୍ୟ ୧୩ଟି ଜିଲ୍ଲା ଯଥା- ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ଦୋକାନଗୁଡ଼ିକ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ସମଗ୍ର ରାଜ୍ୟରେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରଖିବା ପାଇଁ ସାଇକେଲ ମରାମତି, ଯାନବାହନ ମରାମତି, ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ, ଦ୍ରବ୍ୟ ପରିବହନ, କୃଷି, ମତ୍ସ୍ୟ ଚାଷ ଓ ପଶୁପାଳନ ସମ୍ବନ୍ଧିତ ଦୋକାନ ଓ କାମକୁ କଟକଣାମୁକ୍ତ କରାଯାଇଛି। ଦୁଗ୍ଧ ଚାଷୀଙ୍କ ଜୀବିକାକୁ ଦୃଷ୍ଟିରେ ରଖି ମିଠା ଦୋକାନ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଲିବାକୁ ଅନୁମତି ଦିଆଯାଇଛି। ରାସ୍ତାକଡ଼ ଢ଼ାବା କେବଳ ଖାଦ୍ୟ ପାର୍ସଲ ଦେବା ପାଇଁ ଖୋଲା ରହିବ।
ସେହିପରି ମର୍ଣ୍ଣି ୱାକ୍‌, କସରତ, ଜଗିଂ ଆଦି କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ପାର୍କ ଓ ଜିମ୍ ଆଦି ବନ୍ଦ ରହିବ।
ସ୍ୱାସ୍ଥ୍ୟ ସେବା, କୋଭିଡ୍ ଟିକା, କୋଭିଡ୍ ପରୀକ୍ଷା, ବିଦ୍ୟୁତ ଯୋଗାଣ, ଟେଲିକମ୍‌, ଅଗ୍ନିଶମ ସେବା, ପାନୀୟ ଜଳ ଯୋଗାଣ, ମୌଳିକ ଓ ଜରୁରୀକାଳୀନ ସେବା ଆଦି ପୂର୍ବଭଳି ଜାରି ରହିବ । ବିଭିନ୍ନ ପ୍ରକାର ଦ୍ରବ୍ୟର ହୋମ୍ ଡେଲିଭରି, ଇ-କମର୍ସ, ସମ୍ବାଦ ସଂଗ୍ରହ ଓ ପରିବେଷଣ କାର୍ଯ୍ୟରେ ନିୟୋଜିତ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ, ପେଟ୍ରୋଲ ପମ୍ପ, ପେଟ୍ରୋଲିୟମ ଗ୍ୟାସ, କୋଲଡ୍ ଷ୍ଟୋର ଆଦି ଖୋଲା ରହିବ । ବ୍ୟାଙ୍କ, ଏଟିଏମ୍ , ଋଣ ସମବାୟ ସମିତି ଆଦି ଖୋଲା ରହିବ। ତେବେ ଏହି ସବୁ କାର୍ଯ୍ୟାଳୟ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଚାଲିବ।
ସେହିପରି ସାମାଜିକ ଓ ରାଜନୀତିକ ସଭା ସମିତି, ଧାର୍ମିକ ସଭାସମିତି, ସାହିତ୍ୟ ଆସର, ଅନ୍ତେଷ୍ଟି ଭୋଜି, ବିବାହ ପାଇଁ ପ୍ରୋସେସନ୍ ଓ ଭୋଜି ଆଦି ଉପରେ କଟକଣା ବଳବତ୍ତର ରହିଛି। ମନ୍ଦିର ଓ ଦେବାନୁଷ୍ଠାନ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ।
ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର, ସିନେମା ହଲ୍‌, ସୁଇମିଂ ପୁଲ୍‌, ମଲ୍‌, ଯାତ୍ରା, ଥିଏଟର, ସିରିଏଲ୍ ଓ ସିନେମା ସୁଟିଂ ଆଦି ବନ୍ଦ ରହିବ।
କରୋନା ଗାଇଡଲାଇନକୁ ପାଳନ କରି ମାସ୍କ ପିନ୍ଧିବା,ସାମାଜିକ ଦୂରତ୍ୱ ଓ ସାନିଟାଇଜ୍ ହେବା ନିୟମକୁ କଡ଼ାକଡ଼ି ମାନିବା ନିମନ୍ତେ ପରାମର୍ଶ ଦିଆଯାଇଛି।
ଜିଲ୍ଲାପାଳ ଓ ପୌରାଂଚଳ କମିଶନର ଚାହିଁଲେ ସଂକ୍ରମଣ ରୋକିବା ପାଇଁ ସ୍ଥିତିକୁ ଚାହିଁ ଆବଶ୍ୟକ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେଇପାରିବେ।
ସୂଚନାଯୋଗ୍ୟ, ମେ’ ୫ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଲକଡାଉନ୍ ପ୍ରକ୍ରିୟା ତୃତୀୟ ଥର ପାଇଁ ଜୁଲାଇ ୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version