ରାଜ୍ୟ
୯ ଜିଲ୍ଲାର ୨.୩୩ଲକ୍ଷ ହେକ୍ଟର ଜମିରେ ମରୁଡ଼ି
ଭୁବନେଶ୍ୱର(ଓଡବ୍ଲ୍ୟୁ):ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାର ୨ଲକ୍ଷ ୩୩ହଜାର ହେକ୍ଟର ଜମିକୁ ମରୁଡ଼ି ଘୋଷଣା କରିଛନ୍ତି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୯ଟି ଜିଲ୍ଲାର ୬୬ଟି ବ୍ଳକ୍ ଓ ୧୬ଟି ପୌରାଂଚଳର ମୋଟ ୫୬୩୩ଟି ଗାଁର ୨ଲକ୍ଷ ୩୩ହଜାର ୧୭୩ ହେକ୍ଟର ଜମିକୁ ମରୁଡ଼ି ଘୋଷଣା କରାଯାଇଛି।ଏଥିରେ ୫୦%ରୁ ଅଧିକ ଫସଲ କ୍ଷତି ହୋଇଥିବା ୫୪,୯୪୯ ହେକ୍ଟର ଜମି ଥିବାବେଳେ ୩୩%ରୁ ଅଧିକ ଫସଲ କ୍ଷତି ହୋଇଥିବା ୧,୭୮,୨୨୪ ହେକ୍ଟର ଜମି ରହିଛି।
ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ମରୁଡି ୬୭,୫୪୦ ହେକ୍ଟର ଜମି ପ୍ରଭାବିତ ହୋଇଥିବାବେଳେ ସର୍ବନିମ୍ନ ଦେବଗଡ଼ ଜିଲ୍ଲାରେ ୫୪୫ ହେକ୍ଟର ଜମି ମରୁଡ଼ି ପ୍ରଭାବିତ ହୋଇଛି।ସମ୍ବଲପୁର ଜିଲ୍ଲାରେ ୩୫,୧୮୦ ହେକ୍ଟର, ନୂଆପଡ଼ାରେ ୨୨,୨୪୨ ହେକ୍ଟର, ନବରଙ୍ଗପୁରରେ ୧୯୫୭ ହେକ୍ଟର, କଳାହାଣ୍ଡିରେ ୯୩୧୮ ହେକ୍ଟର, ଝାରସୁଗୁଡ଼ାରେ ୩୧୦୭୬ ହେକ୍ଟର, ବଲାଙ୍ଗିରରେ ୨୬୩୦୬ ହେକ୍ଟର ଓ ବରଗଡ଼ରେ ୩୮୮୨୮ ହେକ୍ଟର ଜମି ମରୁଡ଼ିରେ ପ୍ରଭାବିତ ହୋଇଛି।
ମରୁଡ଼ି ଘୋଷଣା ହୋଇଥିବା ଅଂଚଳରେ କ୍ଷତିପୂରଣ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ଟଙ୍କା ଓ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ଟଙ୍କା କ୍ଷତିପୂରଣ ଦିଆଯିବ।ବାରମାସୀ ଚାଷ ହେଉଥିବା ଜମି ପାଇଁ ହେକ୍ଟର ପିଛା ୧୮ହଜାର ଟଙ୍କା କ୍ଷତିପୂରଣ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।