ରାଜନୀତି
ପ୍ରତି ଜୋନରୁ ୫୦୦ ନୂଆ ସଦସ୍ୟ ସଂଗ୍ରହ କରିବ କଂଗ୍ରେସ
ଭୁବନେଶ୍ୱର(ଓଡ଼ିଶା ୱେୟାର):: ସାଧାରଣ ନିର୍ବାଚନ ପ୍ରସ୍ତୁତି ମଧ୍ୟରେ କଂଗ୍ରେସ ଆସନ୍ତା ମାସକ ମଧ୍ୟରେ ପ୍ରତି ଜୋନସ୍ତରରେ ୫୦୦ଜଣ ନୂଆ ସଦସ୍ୟ ସଂଗ୍ରହ କରିବ। ଏଥିପାଇଁ ଆଜି ୮୫୨ଟି ଜୋନାଲ କମିଟି ଓ ୧୧୪ଟି ପୌରାଂଚଳ ସଭାପତିମାନଙ୍କୁ ଟାର୍ଗେଟ୍ ଦିଆଯାଇଛି। ଏହାସହିତ ବୁଥ କମିଟି ଗଠନ ପ୍ରକ୍ରିୟାକୁ ତୁରନ୍ତ ଶେଷ କରିବା ସହ ସମର୍ପିତ ହୋଇ ଦଳ ପାଇଁ ତୃଣମୂଳସ୍ତରରେ କାର୍ଯ୍ୟ କରିବାକୁ ପିସିସି ସଭାପତିି ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ଦଳର ନେତା ଓ କର୍ମୀମାନେ ୧୩୪ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ପରେ ଆୟୋଜିତ ଜୋନାଲ ସଭାପତି ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦଳରେ ସାମାନ୍ୟତମ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କଡ଼ା ଭାଷାରେ ଶୁଣାଇ ଦେଇଛନ୍ତି ।ମିଳିଥିବା ସୂଚନା ଅନୁସାରେ ଶ୍ରୀ ପଟ୍ଟନାୟକ ଜୋନାଲ ସଭାପତିମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ତୃଣମୂଳସ୍ତରରେ ଦଳରେ ଯିଏ ବିଶୃଙ୍ଖଳା ସୃଷ୍ଟି କରୁଛି ତା’ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରାଯାଉ ।ବାକି ଥିବା ବୁଥ୍ କମିଟି ଜାନୁୟାରୀ ୫ତାରିଖ ସୁଦ୍ଧା ଗଠନ କରିବାକୁ ତାଗିଦ୍ କରିଛନ୍ତି ।ବୁଥ କମିଟି ଗଠନ କରି ଜୋନାଲ ସଭାପତିମାନେ ଗାଁ ଗାଁକୁ ବୁଲି କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରର ବିଫଳତା ତଥା ଦୁର୍ନୀତିକୁ ପ୍ରଚାର କରିବାକୁ ପରାମର୍ଶ ଦେଇଛନ୍ତି । ତା’ଛଡ଼ା କଂଗ୍ରେସ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିଲେ ୫ଘଂଟାରେ କୃଷିଋଣ ଛାଡ଼,ବୃଦ୍ଧବୃଦ୍ଧା ଓ ବିଧବାଙ୍କ ମାସିକ ଭତାକୁ ୧ହଜାର ଟଙ୍କା କରିବା,ବେକାରୀଙ୍କୁ ନିଶ୍ଚିତ ନିଯୁକ୍ତି ସହ ଚାଷୀଙ୍କୁ ଆର୍ଥିକ ସହାୟତା ଦେବାକୁ ନିଷ୍ପତି ନେଇଥିବା କଥାକୁ ଲୋକଙ୍କ ନିକଟରେ ବ୍ୟାପକ ଭାବେ ପହଂଚାଇବାକୁ କହିଛନ୍ତି ।ଏହାସହିତ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଜାନୁୟାରୀ ୮ତାରିଖରେ ସବୁ ଜିଲ୍ଲା ମୁଖ୍ୟାଳୟରେ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜୋନାଲ ସଭାପତିମାନଙ୍କୁ ପରାମର୍ଶ ଦିଆଯାଇଛି ।
ଜୋନାଲ ସଭାପତିମାନେ ପ୍ରତ୍ୟେକ ବୁଥ କମିଟିକୁ ସୁଦୃଢ଼ କରି ଲୋକଙ୍କ ନିକଟରେ ପହଂଚିବା ଓ ସେମାନଙ୍କ ମତାମତ ଆଧାରରେ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ସ୍ଥିରୀକୃତ ହେବ ବୋଲି ନେତାମାନେ ମତ ଦେଇଛନ୍ତି । ଲୋକଙ୍କ ନିକଟରେ ପହଂଚିବା ପାଇଁ ମଧ୍ୟପ୍ରଦେଶ,ଛତିଶଗଡ଼ ଓ ରାଜସ୍ଥାନର ଫର୍ମୂଲାକୁ ଓଡ଼ିଶାରେ ଦଳ ଆପଣାଇବ ଏବଂ କେବଳ ଏହି କାରଣରୁ ଜୋନାଲ ସଭାପତିମାନଙ୍କ ଉପରେ ଅଧିକ ଗୁରୁଦାୟିତ୍ୱ ରହିଛି ବୋଲି ପିସିସି ସଭାପତି କହିଛନ୍ତି ।ପ୍ରୋଜେକ୍ଟ ଶକ୍ତି ଓ ମୋ ବୁଥ୍ ମୋ ଗୌରବ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ଦ୍ଧାରିତ ୫୦୦ ନୂଆ ସଦସ୍ୟ ସଂଗ୍ରହ ଟାର୍ଗେଟକୁ ହାସଲ କରିବାକୁ ସେ ତାଗିଦ୍ କରିଛନ୍ତି ।ଏହି ଜୋନାଲ ସଭାପତି ସମ୍ମିଳନୀରେ ୮୫୨ଜଣ ସଭାପତି ଓ ୧୧୪ ପୌରାଂଚଳ ସଭାପତିମାନେ ଯୋଗ ଦେଇଥିଲେ ।