ରାଜ୍ୟ
ଜୁଲାଇ ୫ରେ ପୁଣି ଆସିବେ ମୋଦି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଆସନ୍ତା ଜୁଲାଇ ୫ତାରିଖରେ ଓଡ଼ିଶା ଆସିବେ । ପଶ୍ଚିମ ଓଡ଼ିଶା ସହ ଦେଶର ଅନ୍ୟାନ୍ୟ ଭାଗକୁ ସଂଯୋଗ ପାଇଁ ଝାରସୁଗୁଡ଼ାରେ ନିର୍ମିତ ବ୍ୟବସାୟିକ ବିମାନ ବନ୍ଦର ଓ ବିମାନ ଉଡ଼ାଣକୁ ସେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଉଡାଣ ଯୋଜନା ଅନ୍ତର୍ଗତ ଆଂଚଳିକ ସଂଯୋଗ ସେବା ନିମନ୍ତେ ବିକଶିତ ହୋଇଥିବା ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ଜୁନ୍ ୨୦ତାରିଖ ସ୍ଥିରୀକୃତ ହୋଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟସ୍ତ କାର୍ଯ୍ୟକ୍ରମ ଯୋଗୁ ଏହାକୁ ଏବେ ଜୁଲାଇ ୫ତାରିଖକୁ ଘୁଂଚାଇ ଦିଆଯାଇଛି । ୯୧୦ ଏକର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ପ୍ରାୟ ୧୭୫କୋଟି ଟଙ୍କା ଖର୍ଚ୍ଚ ହୋଇଛି ଓ ଏଥିରେ ରାଜ୍ୟ ସରକାରଙ୍କ ୫୦କୋଟି ଟଙ୍କା ରହିଛି । ଏହି ବିମାନ ବନ୍ଦରରେ ସର୍ବାଧିକ ୧୮୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏ୩୨୦ ଏୟାରବସ୍ ଅବତରଣ ଓ ଉଡ଼ାଣର ସୁବିଧା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାଂଚି ଓ ରାୟପୁରକୁ ବିମାନ ଚଳାଚଳ ପାଇଁ ‘ଏୟାର ଓଡ଼ିଶା’ ନିଷ୍ପତି ନେଇଛି ।
ତେବେ ଦୁଇମାସ ବ୍ୟବଧାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତକୁ ରାଜନୀତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ଝାରସୁଗୁଡ଼ା ଜିଲ୍ଲାରେ ନିଜର ସଂଗଠନକୁ ସୁଦୃଢ଼ କରିବା ଉପରେ ଏବେ ବିଜେଡି ସର୍ବୋଚ୍ଚ ପ୍ରାଥମିକତା ଦେଉଥିବାବେଳେ ବିଜେପି ମଧ୍ୟ ଏ ନେଇ ପ୍ରୟାସ ଜୋରଦାର କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଣି ସେଠାରେ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ନିଜର ପାୱାର ଶୋ’ ନିମନ୍ତେ ଯୋଜନା କରିଥିବା ଜଣାପଡ଼ିଛି ।