ଏରସମା/ଭୁବନେଶ୍ୱର(ଓଡବ୍ଲ୍ୟୁ): ଜଗତସିଂହପୁର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ତଥା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଆଜି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ମାଧ୍ୟମରେ ଏରସମା ବଜାରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏରସମାର ୨୫ଟି ପଂଚାୟତ ପାଇଁ ୫.୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।ତେବେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ହଜାର ଲୋକଙ୍କ ସମାଗମ ଓ ଏରସମା ବଜାରରେ ଜନସମୁଦ୍ର ପ୍ରଶାନ୍ତଙ୍କ ବିରୋଧୀ ଶିବିରର ନିଦ ହଜାଇ ଦେଇଛି।
ସୂତ୍ର ଅନୁସାରେ, ବିଜେଡିରୁ ବହିଷ୍କାର ହେବାପରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଏରସମା ନିର୍ବାଚନମଣ୍ଡଳୀକୁ ଅସ୍ଥିର କରିବା ପାଇଁ ନିୟମିତ ଭାବେ କସରତ କରୁଛନ୍ତି।ନିଜର ଜନ୍ମମାଟି ଏରସମାରେ ଥିବା ପୁରୁଣା ସଂଗଠନକୁ ଆଧାର କରି ଡାକ୍ତର ରାଉତ ଆଗାମୀ ସାଧାରଣ ନିର୍ବାଚନରେ ଏଠାରେ ନିର୍ଣ୍ଣାୟକ ଭୂମିକା ତୁଲାଇବାକୁ ଗୋଟି ଚଳାଉଥିବାବେଳେ ତାଙ୍କର ଏହି ସ୍ୱପ୍ନକୁ ପ୍ରଶାନ୍ତଙ୍କ ଆଜିର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଭଣ୍ଡୁର କରିଦେଇଛି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶାନ୍ତ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।ପ୍ରାୟ ୨୫ହଜାର ଲୋକଙ୍କ ସମାଗତ ପ୍ରଶାନ୍ତଙ୍କୁ ଉତ୍ସାହିତ କରିଥିବାବେଳେ ଦୀର୍ଘ ଦିନ ପରେ ଏରସମାରେ ଏଭଳି ଜନସମୁଦ୍ର ଡାକ୍ତର ରାଉତଙ୍କୁ ନିରୁତ୍ସାହିତ କରିଛି।ସ୍ଥାନୀୟ କଂଗ୍ରେସ ନେତା ଶାରଦା ପ୍ରସାଦ ଜେନାଙ୍କ ମାଧ୍ୟମରେ ଡାକ୍ତର ରାଉତ ଏରସମା ରାଜନୀତିରେ ତିଷ୍ଠି ରହିବାକୁ ଚାହିଁ ବସିଥିଲେ ମଧ୍ୟ ପ୍ରଶାନ୍ତ ନିଜେ ନିଜର ଗଡ଼କୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଛନ୍ତି।ଶାରଦାଙ୍କୁ ମୋହରା କରି ଡାକ୍ତର ରାଉତ ଏପର୍ଯ୍ୟନ୍ତ ଏରସମାରେ ତିଷ୍ଠି ରହିବାକୁ ଯେଉଁ ଗୋଟି ଚଳାଇଥିଲେ ତାହା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।ତା’ଛଡ଼ା ଏରସମା ସହ ଦୀର୍ଘବର୍ଷର ରାଜନୀତିକ ସମ୍ପର୍କକୁ ଆଳ କରି ଡାକ୍ତର ରାଉତ ଗତ କିଛିମାସ ହେଲା ଇମୋସନାଲ କାର୍ଡ ଖେଳୁଛନ୍ତି।କିନ୍ତୁ ଏହା ବି ଏବେ କାମ ଦେଉନଥିବା ଜଣାପଡ଼ିଛି।ପ୍ରଥମଥର ପାଇଁ ଡାକ୍ତର ରାଉତଙ୍କ ବିନା ଏରସମାରେ ସଫଳ ରାବଣପୋଡ଼ି କାର୍ଯ୍ୟକ୍ରମ କରି ପ୍ରଶାନ୍ତ ସ୍ଥାନୀୟ ଲୋକଙ୍କ ଆସ୍ଥାର ପ୍ରତୀକ ପାଲଟିଛନ୍ତି।ଏବେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ହଜାର ହଜାର ଲୋକ ଏକଜୁଟ କରାଇ ପ୍ରଶାନ୍ତ ପୁଣିଥରେ ଏରସମାରେ ଡାକ୍ତର ରାଉତଙ୍କ ସମସ୍ତ ଚାଲ୍ ଓ ରଣନୀତି ଫେଲ୍ ମାରିବ ବୋଲି ପରୋକ୍ଷରେ ସତର୍କ କରାଇ ଦେଇଛନ୍ତି।
ଆଗାମୀ ନିର୍ବାଚନରେ ପାରାଦୀପ ଓ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀକୁ ପ୍ରଭାବିତ ଓ ଅସ୍ଥିର କରିବା ପାଇଁ ଯେଉଁ ଡାକ୍ତର ରାଉତଙ୍କ ରଣନୀତି ଏବେ ଫେଲ୍ ମାରିବାକୁ ଯାଉଥିବାବେଳେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଜନସମୁଦ୍ର ତାଙ୍କୁ ଶକ୍ତ ଚାପୁଡ଼ା ସଦୃଶ ହୋଇଛି।ଏରସମାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମୁଦୁଲିଙ୍କ ସମେତ ସାଂସଦ କୁଳମଣୀ ସାମଲ, ଜିଲ୍ଲାପାଳ, ଏସପିଙ୍କ ସମେତ ସାଂସଦଙ୍କ ପ୍ରତିନିଧି ପୀତବାସ ଗୋଚ୍ଛାୟତ, ବ୍ଲକ ଅଧ୍ୟକ୍ଷ ପ୍ରଣବ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ବବିତା ସ୍ୱାଇଁ, ଇତିଶ୍ରୀ ଭୂୟାଁ, ଜୟଶ୍ରୀ ଦର୍ପଦଳିନୀ ମଲ୍ଲିକ, ବାଲିକୁଦା ବ୍ଲକ ଅଧ୍ୟକ୍ଷ ମଧୁସ୍ମିତା ସାହୁଙ୍କ ସମେତ ବିଭିନ୍ନ ପଂଚାୟତର ସଭ୍ୟ ଓ ସରପଂଚମାନେ ସାମିଲ ହୋଇଥିଲେ ।