ଭୁବନେଶ୍ୱର(ଓଡବ୍ଲ୍ୟୁ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପରେ ଗାଁରେ ଲୋକମାନଙ୍କୁ ବିଭିନ୍ନ ସେବା ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆଉ ଏକ ନୂଆ ଯୋଜନା କାର୍ଯ୍ୟକାରୀ ପାଇଁ ନିଷ୍ପତି ନେଇଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପିଠା(ପିପୁଲ୍ସ ଏମ୍ପପାୱାରମେଂଟ୍ ଏନବଲିଂ ଟ୍ରାନ୍ସପରେନ୍ସି ଆଣ୍ଡ ଆକାଂଉଟବିଲିଟି ଅଫ୍ ଓଡ଼ିଶା ଇନିସିଏଟିଭସ୍) ଘୋଷଣା କରିଛନ୍ତି।ଏହି ଯୋଜନା ଆମ ଗାଁ ଆମ ବିକାଶ ଯୋଜନାର ଏକ ଉପଯୋଜନା ଭାବେ କାର୍ଯ୍ୟ କରିବ।
ଏହି ଯୋଜନାରେ ଡିସେମ୍ବର ମାସରୁ ପ୍ରତିମାସ ୧୫ରୁ ୨୦ତାରିଖ ମଧ୍ୟରେ ସବୁ ପଂଚାୟତରେ କ୍ୟାମ୍ପ ଆୟୋଜନ ହେବ।ଏହି କ୍ୟାମ୍ପରେ ଆମ ଏଲଇଡି, ମିଶନ ଶକ୍ତି, ମଧୁବାବୁ ପେନସନ, କଳାକାର ପେନସନ, ନିର୍ମାଣ ଶ୍ରମିକ ଯୋଜନା ଭଳି ସାମାଜିକ ସୁରକ୍ଷା ଯୋଜନା ଆଦିର ଫାଇଦା ହିତାଧିକାରୀଙ୍କୁ ପ୍ରଦାନ କରାଯିବ।ଏହାସହିତ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ।ରାଜ୍ୟ ସରକାରଙ୍କ ଥ୍ରୀ ଟି- ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି ଓ ଟିମୱାର୍କ ମନ୍ତ୍ରର ଅଂଶବିଶେଷ ଏହି ‘ପିଠା’ ଯୋଜନା ହେବ।ସମସ୍ତ ସରକାରୀ ଯୋଜନା ବାବଦରେ ଲୋକଙ୍କୁ ସଚେତନ କରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ଯୋଜନା ଓ ସାମାଜିକ ଯୋଜନାରେ ସ୍ୱଚ୍ଛତା ବୃଦ୍ଧି ହିଁ ଏହାର ମୁଖ୍ୟ ଲକ୍ଷ୍ୟ।ବ୍ଲକସ୍ତରରେ ପର୍ଯ୍ୟବେକ୍ଷକମାନେ ଏହି ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିବେ ଓ ସ୍ୱେଚ୍ଛାସେବୀମାନେ ଏହାକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରିବେ।ପିଠା ଆୟୋଜନ ପାଇଁ ସବୁ ବ୍ଲକରେ ଗୋଟିଏ ଶ୍ରେଷ୍ଠ ପଚାଂୟତକୁ ୫ଲକ୍ଷ ଟଙ୍କା ପୁରସ୍କାର ରାତି ପ୍ରଦାନ କରାଯିବ।ସବୁ ପଂଚାୟତରେ ସଚେତନତା କ୍ୟାମ୍ପର ଆୟୋଜନ ପରେ ଜିଲ୍ଲାସ୍ତରରେ ଗୋଟିଏ ପଂଚାୟତକୁ ଶ୍ରେଷ୍ଠ ପୁରସ୍କାର ଦିଆଯିବ।ରାଜ୍ୟସ୍ତରରେ ମଧ୍ୟ ଏଭଳି ଆୟୋଜନ କରାଯାଇ ଶ୍ରେଷ୍ଠ ବ୍ଲକ୍ ଓ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ସହ ସ୍ୱତନ୍ତ୍ର ପାଣ୍ଠି ଦିଆଯିବ।ପ୍ରତିମାସରେ ଶ୍ରେଷ୍ଠ ପଂଚାୟତକୁ ୫ଲକ୍ଷ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ରିଲିଜରେ କୁହାଯାଇଛି ।


