Latest

୧୯ଦିନ ପରେ ବି ଚିତ୍ର ଅସ୍ପଷ୍ଟ, ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି

Posted on

ନୂଆଦିଲ୍ଲୀ:ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କ ରିପୋର୍ଟ ଆଧାରରେ କେନ୍ଦ୍ର କ୍ୟାବିନେଟ କରିଥିବା ସୁପାରିଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ସୁପାରିଶ କରାଯାଇଥିଲା।
ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଶେଷ ହେବାର ୧୯ ଦିନ ପରେ ବି ସରକାର ଗଢ଼ିବା ନେଇ ଚିତ୍ର ଅସ୍ପଷ୍ଟ ରହିଛି। ବିଜେପି ଓ ଶିବସେନା ସରକାର ଗଢ଼ିପାରିନଥିବା ବେଳେ ଏନସିପିକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଭଗତ ସିଂହ କୋଶିଆରି ପ୍ରସ୍ତାବ ଦେଇଥିଲେ। ଆଜି ରାତି ୮ଟା ୩୦ ସୁଦ୍ଧା ଏନସିପି ସରକାର ଗଢ଼ିବ କି ନାହିଁ ନିଜର ଆଭିମୁଖ୍ୟ ରଖିଥାନ୍ତା। ହେଲେ ଏହା ପୂର୍ବରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।
ରାଜ୍ୟପାଳ ମଧ୍ୟ ରାଷ୍ଟ୍ରପତିଙ୍କୁ ଏକ ରିପୋର୍ଟ ଦେଇଛନ୍ତି। ଯେଉଁଥିରେ କୁହାଯାଇଛି, ମହାରାଷ୍ଟ୍ରରେ ସମ୍ୱିଧାନର ନିୟମ ଅନୁଯାୟୀ ସରକାର ଗଢ଼ିବା ସମ୍ଭବ ନୁହେଁ। ତେଣୁ ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର ବୋଲି ରାଜଭବନ ପକ୍ଷରୁ କୁହାଯାଇଥିଲା। ତେବେ ୬ ମାସ ମଧ୍ୟରେ ଯଦି କୌଣସି ଦଳ ନେତୃତ୍ୱ ନେଇ ସଂଖ୍ୟା ବଳର ପ୍ରମାଣ ଦେବ, ତାହାଲେ ରାଷ୍ଟ୍ରପତି ଶାସନ ହଟିପାରିବ। ନଚେତ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେବ।
ସୂଚନାଯୋଗ୍ୟ, ରବିବାର ବିଜେପି ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବ ନାହିଁ ବୋଲି ସ୍ଥିର କରିଥିଲା। ଏହାପରେ ଶିବସେନାକୁ ଆମନ୍ତ୍ରଣ କରିଥିଲେ ରାଜ୍ୟପାଳ। ହେଲେ ସରକାର ଗଢ଼ିବା ପାଇଁ ଶିବସେନା ନିର୍ଦ୍ଧାରିତ ସମୟ ପରେ ଆହୁରି ୪୮ ଘଣ୍ଟା ସମୟ ମାଗିଥିଲା। ଏହାପରେ ରାଜ୍ୟପାଳ ଶିବସେନାର ପ୍ରସ୍ତାବକୁ ଖାରଜ କରି ଏନସିପିକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version