ରାଜ୍ୟ

‘ବିଧାନ ପରିଷଦ’ ଗଠନ ପାଇଁ ଆସିବ ସଂକଳ୍ପ ପ୍ରସ୍ତାବ

Posted on

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଅସନ୍ତୁଷ୍ଟ ଦଳୀୟ ନେତାମାନଙ୍କୁ ପୁଣିଥରେ ଲଲିପପ୍‌ ଦେଖାଇଛି ବିଜେଡି। ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନରେ କ୍ଷମତାସୀନ ବିଜେଡି ସରକାର ତେଲେଙ୍ଗାନା ବିଧାନ ପରିଷଦ ଢାଞ୍ଚାରେ ‘ବିଧାନ ପରିଷଦ’ ଗଠନ ପାଇଁ ସଂକଳ୍ପ ପ୍ରସ୍ତାବ ଅଣାଯିବ। ବିଧାନ ପରିଷଦ ଗଠନ ପ୍ରକ୍ରିୟାର ଅନୁଧ୍ୟାନ ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡଃ ନୃସିଂହ ସାହୁଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର କମିଟି, ବିହାର ଓ ତେଲେଙ୍ଗାନା ଗସ୍ତ କରି ଫେରିବା ପରେ ଆଜି ସାମ୍ୱାଦିକ ମାନଙ୍କୁ ସୂଚନା ଦେଇକହିଛନ୍ତି ଯେ, ତେଲେଙ୍ଗାନା ବିଧାନସଭା ଗଠିତ ହେବାପରେ ସେମାନେ ବିଧାନ ପରିଷଦ ଗଠନ ପାଇଁ ସଂକଳ୍ପ ଗୃହୀତ କରିଥିଲେ। ବିଧାନ ପରିଷଦ ସଂକଳ୍ପ କିଭଳି ଗୃହୀତ ହେଲା ତାକୁ ଅନୁଧ୍ୟାନ କରାଯାଇଛି। ସେହି ଶୈଳୀରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ଅଣାଯିବ। ରାଜ୍ୟ ସରକାରଙ୍କୁ ଏନେଇ ଖୁବ୍‌ଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ।
ସୂଚନାଯୋଗ୍ୟ ଯେ,ଡଃ ସାହୁଙ୍କ ସହ କମିଟିର ସଦସ୍ୟ ଭାବେ ବିଜେଡିର ଦୁଇ ସଦସ୍ୟ ପ୍ରମିଳା ମଲ୍ଲିକ ଓ ମନୋହର ରନ୍ଧାରୀ, ବିହାର ଓ ତେଲେଙ୍ଗାନା ଗସ୍ତ କରିଥିଲେ। ଏହି ସ୍ୱତନ୍ତ୍ର କମିଟିରୁ ବିଜେପି ଓ କଂଗ୍ରେସ ଦୂରେଇ ରହିଥିବା ବେଳେ ରାଜ୍ୟ ସରକାରଙ୍କ ସଂକଳ୍ପ ପ୍ରସ୍ତାବକୁ ବିଧାନସଭାରେ ସହମତି ମିଳିବାର ସମ୍ଭାବନା କ୍ଷୀଣ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବିଜେଡିରେ ଥିବା ଅସନ୍ତୁଷ୍ଟଙ୍କୁ ଖୁସି କରିବା ପାଇଁ ଏହା ଲଲିପପ୍‌। ଅବଶ୍ୟ ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ, କିନ୍ତୁ ଏହା ଗଠନ ହେବାକୁ ବହୁ ସମୟ ଲାଗିବ। ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ଗଠନ ସମ୍ପର୍କରେ କ୍ଷମତାସୀନ ବିଜେଡି ସରକାର ଆଭାସ ଦେଇଥିଲା। କିନ୍ତୁ ପରେ ଦୀର୍ଘବର୍ଷ ଧରି ନିରବ ରହିବା ପରେ ଗତ ଦୁଇମାସ ତଳେ ପୁଣିଥରେଏହି ଗଠନ ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version