Latest

ରେସ୍ତୋରାଁ ମାଲିକକୁ ଗୁଳି କରି ହତ୍ୟା

Posted on

ନୋଏଡ଼ା : ଅର୍ଡର ଦେବାରେ ବିଳମ୍ବ ହେବାରୁ ରୋସ୍ତୋରାଁ ମାଲିକକୁ ଗୁଳି କରି ହତ୍ୟା କଲା ସ୍ୱିଗି ଡେଲିଭରି ବୟ। ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଘଟିଛି ଏଭଳି ଛାତିଥରା ଘଟଣା। ଖାଦ୍ୟ ପ୍ରସ୍ତୁତି ହେବାରେ ବିଳମ୍ବ ହେବାରୁ ରାଗରେ ହୋଟେଲ ମାଲିକକୁ ହିଁ ଗୁଳି କରିଛି ଅନ୍‌ଲାଇନ୍‌ ପ୍ଲାଟଫର୍ମ ସ୍ୱିଗିର ଜଣେ ଡେଲିଭରି ବୟ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତକୁ ଖୋଜୁଥିବା ଜଣାଯାଇଛି।
ପୋଲିସର ସୂଚନା ମୁତାବକ, ମିତ୍ରା ନାମକ ଜଣେ ବ୍ୟକ୍ତି ଏଠାରେ ଏକ ରୋସ୍ତୋରାଁ ଚଳାଉଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସ୍ୱିଗି ଏଜେଣ୍ଟ ରେସ୍ତୋରାଁକୁ ଚିକେନ୍‌ ବିରିଆନୀ ଓ ପୁରି-ତରକାରୀର ଅର୍ଡର ନେଇ ପହଞ୍ଚିଥିଲା। ବିରିଆନୀ ଠିକ୍‌ ସମୟରେ ପ୍ରସ୍ତୁତ ହୋଇଥିବା ବେଳେ ପୁରି- ତରକାରୀ ପାଇଁ ଆଉ କିଛି ସମୟ ଲାଗିବ ବୋଲି ହୋଟେଲର ଜଣେ କର୍ମଚାରୀ ଡେଲିଭରି ବୟଙ୍କୁ କହିଥିଲେ। ଏହି କଥା ପାଇଁ ଡେଲିଭରି ବୟ କର୍ମଚାରୀଙ୍କୁ ପାଟିତୁଣ୍ଡ କରିଥିଲା।
ଏହା ଶୁଣି ହୋଟେଲ ମାଲିକ ଉଭୟଙ୍କୁ ଶାନ୍ତ କରାଇବାକୁ ସେଠାକୁ ଆସିଥିଲେ। କିନ୍ତୁ ଉତ୍ୟକ୍ତ ଡେଲିଭରି ବୟ ତାଙ୍କ ସହ ମଧ୍ୟ ଝଗଡ଼ା କରିଥିଲା। ପରେ ସେ ସେଠାରୁ ଚାଲିଯାଇ ନିଜର ଏକ ସାଙ୍ଗ ସହ ରୋସ୍ତୋରାଁ ଆସିଥିଲା ଓ ମାଲିକକୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ହୋଟେଲ କର୍ମଚାରୀ ମାଲିକଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି। ଅନ୍ୟପଟେ ପୋଲିସ ଏବେ ଅଭିଯୁକ୍ତକୁ ଧରିବାକୁ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ସହରର ବିଭିନ୍ନ ରାସ୍ତାରେ ନାକାବନ୍ଦୀ କରିଥିବା କହିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version