ଦେଶ- ବିଦେଶ
ଆଜି ସଙ୍ଗଠିତ ହେବ ଚଳିତ ବର୍ଷର ବିରଳ ତଥା ପୂର୍ଣ୍ଣ ସୂର୍ଯ୍ୟପରାଗ
ଆଜି ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ । କିନ୍ତୁ ଭାରତୀୟ ସମୟ ଅନୁସାରେ ରାତିରେ ସୂର୍ଯ୍ୟପରାଗ ଲାଗୁଥିବା କାରଣରୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଭାରତୀୟ ସମୟ ରାତି ୯ଟା ୧୨ ମିନିଟ୍ ରେ ଆରମ୍ଭ ହୋଇ ପରଦିନ ଭୋର୍ ୨ଟା ୨୨ ମିନିଟ୍ ସମୟରେ ଶେଷ ହେବ ପୂର୍ଣ୍ଣ ସୂର୍ଯ୍ୟପରାଗ । ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟ୍ ସମୟରେ ଦେଖାଯିବ । ତେବେ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ଭାରତର କୌଣସି ଅଞ୍ଚଳରେ ଦେଖାଯିବ ନାହିଁ। କିନ୍ତୁ ନାସାର ୟୁଟ୍ୟୁବ ଚାନେଲରେ ଏହାର ସିଧାପ୍ରସାରଣ ଦେଖିବା ସମ୍ଭବ ହେବ ।
ଆମେରିକା, ମେକ୍ସିକୋ, କାନାଡା ଏବଂ ଉତ୍ତର ଆମେରିକାର ଅନେକ ଦେଶରେ ସୂର୍ଯ୍ୟପରାଗ ଦେଖାଯିବ । ଏହା ସହିତ କୋଷ୍ଟା ଡୋମିନିକା ଏବଂ ଫ୍ରେଞ୍ଚ ପୋଲିନେସିଆରେ ମଧ୍ୟ ସୂର୍ଯ୍ୟପରାଗ ହେବ । ଅନ୍ୟପଟେ ଅରୁବା, ବର୍ବୁଣ୍ଡା, କାରିବିଆନ୍ ନେଦରଲ୍ୟାଣ୍ଡ, କଲମ୍ବିଆ, କୋଷ୍ଟାରିକା, କ୍ୟୁବା, ଡୋମିନିକା, ଗ୍ରୀନଲ୍ୟାଣ୍ଡ, ଆୟର୍ଲାଣ୍ଡ, ଆଇସଲ୍ୟାଣ୍ଡ, ଜାମାଇକା, ନରୱେ, ପାନାମା, ନିକାରାଗୁଆ, ଋଷ, ପୋର୍ତ୍ତୋରିକୋ, ସେଣ୍ଟ ମାର୍ଟିନ, ସ୍ପେନ, ବାହାମାସ, ବ୍ରିଟେନ ଏବଂ ଭେନେଜୁଏଲା ସମେତ ବିଶ୍ବର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବା ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି ।