Latest

ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ: ୬ ମୃତ, ୧୨ ଗୁରୁତର

Posted on

ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାର ଶଙ୍କରାପୁରମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଣ ହୋଲ୍‌ସେଲ୍ ଦୋକାନରେ ନିଆଁ ଲାଗିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୋକାନର ମାଲିକ ଓ ତାଙ୍କର କର୍ମଚାରୀ ଥିବା ଜଣାପଡ଼ିଛି। ଏହାଛଡା ଏଥିରେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ନିଆଁ କେମିତି ଲାଗିଲା ତାହା ଜଣାପଡ଼ି ନାହିଁ। ତେବେ ବାଣ ଦୋକାନରେ ନିଆଁ ଲାଗିବା ପରେ ସେଠାରେ ବିସ୍ଫୋରଣ ହୋଇଥିଲା ଓ ନିଆଁ ଆଖପାଖ ଦୋକାନ ଗୁଡ଼ିକୁ ବ୍ୟାପୀ ଯାଇଥିଲା। ଦୋକାନ ବାହାରେ ଥିବା ଗାଡିଗୁଡିକରେ ମଧ୍ୟ ନିଆଁ ଲାଗିଯାଇଥିଲା। ଫଳରେ ଅନ୍ୟମାନେ ଆହତ ହୋଇଛନ୍ତି। ଅନ୍ୟ ଦୋକାନ ଗୁଡ଼ିକରେ ଥିବା ଗ୍ୟାସ୍ ଟାଙ୍କି ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସି ଫାଟି ଯାଇଥିଲା ଓ ନିଆଁକୁ ଆହୁରି ବ୍ୟାପକ କରିଥିଲା। କଲ୍ଲାକୁରିଚି ଓ ତିରୁକୋଇଲୟୁରରୁ ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲେ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତ ହୋଇ ହସ୍‌ପିଟାଲ୍‌ରେ ଥିବା ବ୍ୟକ୍ତିମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ।

ସୂଚନାଯୋଗ୍ୟ, ପୂର୍ବରୁ ୧୦ ସେପ୍ଟେମ୍ବରକୁ ବିରୁଧନଗର ଜିଲ୍ଲାର ଥାୟିଲପଟୀରେ ଏକ ବାଣ ହୋଲସେଲ ଦୋକାନରେ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version