ରାଜନୀତି
ଅଲୋଡ଼ା ଉମେଶ, ସଙ୍କଟରେ ଅସ୍ତିତ୍ୱ
ବାଲିକୁଦା: ଅବିଭକ୍ତ କଟକ ଜିଲ୍ଲାର ପୁରୁଖା ନେତା ତଥା ବାଲିକୁଦାର ୪ଥର ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ ଏବେ ରାଜନୀତିକ ଅସ୍ତିତ୍ୱ ରକ୍ଷାକୁ ନେଇ ଚିନ୍ତାରେ । ୪ ଦଶନ୍ଧିର ରାଜନୀତିକ କ୍ୟାରିୟରରେ ପ୍ରଥମଥର ପାଇଁ ଶ୍ରୀ ସ୍ୱାଇଁ ଜିଲ୍ଲା ରାଜନୀତିରେ ଏକ ଅଲୋଡ଼ା ବ୍ୟକ୍ତିତ୍ୱ ପାଲଟି ଯାଇଛନ୍ତି । ରାଜନୀତିରେ ପରିଚୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ନିଜର ସ୍ଥିତି ରକ୍ଷା ପାଇଁ ତାଙ୍କର ସବୁ ଉଦ୍ୟମ ପ୍ରାୟତଃ ଏବେ ଫେଲ୍ ମାରିବାରେ ଲାଗିଥିବା ଜଣାପଡ଼ିଛି । ବିଶେଷକରି ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡି କଣଠେସା କରିବା ପରଠାରୁ ଉମେଶ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପାଇଁ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇ ପଡ଼ିଛନ୍ତି । ଯଦିଓ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ଉମେଶ ବିଜେଡିରେ ସାମିଲ ହୋଇଥିଲେ ତଥାପି ନିଜର ଅନେକ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ବିଜେଡି ବି ତାଙ୍କ ଉପରେ ଭରସା କରିପାରିନି । ଯେଉଁଥିପାଇଁ ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମରୁ ଶ୍ରୀ ସ୍ୱାଇଁଙ୍କୁ ଏବେ ବିଜେଡି ଦୂରେଇ ରଖିଛି ।
ତଥ୍ୟ ଅନୁସାରେ ୭୦ବର୍ଷୀୟ ଶ୍ରୀ ସ୍ୱାଇଁ ନିଜର ରାଜନୀତିକ ସ୍ଥିତି ରକ୍ଷା ପାଇଁ ବିଜେଡି ଛାଡ଼ି କଂଗ୍ରେସ ଓ ବିଜେପିକୁ ଲମ୍ଫ ଦେବାର ଉଦ୍ୟମ କରୁଛନ୍ତି । ବିଜେପିରେ ତାଙ୍କୁ ଗୁରୁତ୍ୱ ମିଳିବାର ସମ୍ଭାବନା କ୍ଷୀଣ ଥିବା ଅନୁଭବ କରିବା ପରେ ଏବେ କଂଗ୍ରେସ ଆଡ଼କୁ ମୁହାଁଇଛନ୍ତି । ତେବେ ଉମେଶଙ୍କ ନିର୍ବାଚନମଣ୍ଡଳୀରେ ନିଜସ୍ୱ ଭୋଟବ୍ୟାଙ୍କ୍ ଥିବା ସମର୍ଥକମାନେ ଏବେ ତାଙ୍କଠୁ ଦୂରେଇ ଯାଇଥିବାରୁ କୌଣସି ଦଳ ତାଙ୍କୁ ନିଜ ସାଙ୍ଗରେ ନେବାକୁ ଆଗ୍ରହ ଦେଖାଉନାହାନ୍ତି । ଏପରିକି ଉମେଶ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଥିବାରୁ ତାଙ୍କୁ ଦଳରେ ମିଶାଇ ଅଯଥା ମୁଣ୍ଡବ୍ୟଥା ବଢ଼ାଇବାକୁ ମଧ୍ୟ କଂଗ୍ରେସ କିମ୍ବା ବିଜେପି ନେତୃତ୍ୱ ବର୍ତମାନ ପରିସ୍ଥିତିରେ ଚାହୁଁନଥିବା ଜଣାପଡ଼ିଛି । ବିଶେଷକରି ନିଜର ତ୍ରୁଟିପୂର୍ଣ୍ଣ ପଦକ୍ଷେପ ଓ ବିଶୃଙ୍ଖଳିତ ଆଚରଣ ପାଇଁ ବିଜେଡିରେ କଣଠେସା ହୋଇ ରହିଥିବା ଉମେଶ ପ୍ରଥମେ ବିଜେପିରେ ସାମିଲ ହେବାକୁ ଉଦ୍ୟମ କରିଥିଲେ । କିନ୍ତୁ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଦୌଡ଼ରେ ଏବେ ରଘୁନନ୍ଦନ ଦାସ, ପ୍ରିୟରଞ୍ଜନ ଦାସ, ପିତାମ୍ବର ଆଚାର୍ଯ୍ୟ ଓ ଚିତରଞ୍ଜନ କଂସ ରହିଥିବାରୁ ତାଙ୍କୁ ସେଠାରେ ଟିକେଟ୍ ମିଳିବାର ସମ୍ଭାବନା ନଥିବା ଜାଣି ଏବେ ଶ୍ରୀ ସ୍ୱାଇଁ କଂଗ୍ରେସମୁହାଁ ହୋଇଛନ୍ତି । ତାଙ୍କ ପାଇଁ କଂଗ୍ରେସରେ ମଧ୍ୟ ଏବେ ସମାନ ପରିସ୍ଥିତି ରହିଛି । ଡାକ୍ତର ଲଲାଟେନ୍ଦୁ ମହାପାତ୍ର ଏହି ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ପାଇଁ ମୁଖ୍ୟ ଦାବିଦାର ଥିବାବେଳେ ରଞ୍ଜିବ ବିଶ୍ୱାଳ, ଶାରଦା ଜେନା, ଶିବବ୍ରତ ଦାସ ମଧ୍ୟ ଟିକେଟ୍ ଆଶାୟୀ ଅଛନ୍ତି । ତେଣୁ କଂଗ୍ରେସରେ ଉମେଶଙ୍କୁ ବିଧାୟକ ଟିକେଟ୍ ମିଳିବା ସମ୍ଭାବନା ବିଲ୍କୁଲ ନାହିଁ କହିଲେ ଚଳେ । କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ନୀତି ଆଦର୍ଶ ରକ୍ଷା କରିବାରେ ସକ୍ଷମ ହେଉନଥିବା ଉମେଶ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ପାଇଁ କେଉଁ ମାର୍ଗ ଧରିବେ ତାହା ସ୍ଥିର କରିପାରୁନାହାନ୍ତି । ଚର୍ଚ୍ଚା ହେଉଛି, ରାଜନୀତିରେ ସବୁ ଦ୍ୱାର ତାଙ୍କ ପାଇଁ ବନ୍ଦ ଥିବା ଜାଣିବା ପରେ ଉମେଶ ଖୁବଶୀଘ୍ର ରାଜନୀତିକ କାର୍ଯ୍ୟକ୍ରମରୁ ଅବସର ନେଇ ସମାଜସେବା କାର୍ଯ୍ୟରେ ନିୟୋଜିତ କରିବାର ବିକଳ୍ପକୁ ଚୟନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ୧୯୯୯ ଡିସେମ୍ବର ଶେଷ ଭାଗରେ ଜନତା ଦଳ ଛାଡ଼ି ବିଜେଡିରେ ଦୁଇଦିନ ପାଇଁ ସାମିଲ ହୋଇଥିବା ଶ୍ରୀ ସ୍ୱାଇଁ କଂଗ୍ରେସରେ ସାମିଲ ହୋଇ ବିଧାୟକ ଟିକେଟ୍ ହାତେଇଥିଲେ । ୧୯୭୭ରେ ଜନତା ପାର୍ଟି ଓ ୧୯୯୦ରେ ଜନତା ଦଳ ଟିକେଟ୍ରେ ବିଧାୟକ ହୋଇଥିବା ଶ୍ରୀ ସ୍ୱାଇଁ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଦୁଇଥର କଂଗ୍ରେସ ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୯ ମସିହାରେ ନିର୍ବାଚନ ମଣ୍ଡଳୀ ପୁର୍ନଗଠନ ହେବା ପରଠାରୁ ଉମେଶଙ୍କ ସ୍ଥିତି ଦୟନୀୟ ହୋଇପଡ଼ିଥିଲା । ଆଉ ବିଜେଡିର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଆଗରେ ଶ୍ରୀ ସ୍ୱାଇଁ ନିଜର ସ୍ଥିତି ରକ୍ଷା କରିପାରିନଥିଲେ ଓ ୨୦୦୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କଠୁ ପରାଜିତ ହୋଇଥିଲେ । କଂଗ୍ରେସର ଅର୍ନ୍ତଦ୍ୱନ୍ଦ୍ୱ ଓ ବିଜେଡିର ପତିଆରା ବୃଦ୍ଧି ତାଙ୍କୁ ପୁଣିଥରେ ବିଜେଡି ମୁହାଁ କରିଥିଲା ଓ ସେ ୨୦୧୪ ମାର୍ଚ୍ଚ ମାସରେ ବିଜେଡିରେ ସାମିଲ ହୋଇଥିଲେ । ସେବେଠୁ ବିଜେଡିରେ ରହିଥିଲେ ମଧ୍ୟ ତାଙ୍କର ଦୀର୍ଘ ୪୦ବର୍ଷର ରାଜନୀତିକ ଅଭିଜ୍ଞତାରୁ ବିଶେଷ ଫାଇଦା ବିଜେଡି ଉଠାଇ ପାରିନି । ଏପରିକି ନିଜ ନିର୍ବାଚନମଣ୍ଡଳୀରେ ଉମେଶଙ୍କ ଭୋଟ୍ ବ୍ୟାଙ୍କ ପରିଚିତ ଥିବା ସମର୍ଥକମାନେ ଏବେ ତାଙ୍କଠୁ ଦୂରେଇ ଯାଇଛନ୍ତି । ତେଣୁ ଉମେଶ ଏବେ ସବୁ ଦଳ ପାଇଁ ଅଲୋଡ଼ା ହୋଇ ପଡ଼ିଛନ୍ତି ବୋଲି ଚର୍ଚ୍ଚା ।