Latest

ବିଦ୍ୟାଭାରତୀଙ୍କର ହେଲା ଲାଇ ଡିଟେକ୍ସନ ଟେଷ୍ଟ

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟାର) : ଶେଷରେ ପାଳି ପଡ଼ିଲା। ବିଦ୍ୟାଭାରତୀ ପଣ୍ଡାଙ୍କର ହେଲା ଲାଇ ଡିଟେକ୍ସନ। ଭୁବନେଶ୍ୱର ସ୍ଥିତ ଷ୍ଟେଟ୍‌ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରିରେ ଦୀର୍ଘ ୪ ଘଣ୍ଟା ଧରି ତାଙ୍କର ଲାଇ ଡିଟେକ୍ସନ୍‌ ଚେଷ୍ଟ ହୋଇଛି। ସେହି ସମୟରେ ତାଙ୍କ ଅନେକ ପ୍ରଶ୍ନ ପଚରା ଯାଇଛି। ବିଦ୍ୟାଭାରତୀ ପଣ୍ଡା ହେଉଛନ୍ତି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ। ଜୁଲାଇ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆଜି ବିଦ୍ୟାଭାରତୀଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା। ଯେମିତି- ଡିଏଫ୍ଓଙ୍କୁ ସେ ଜାଣିଥିଲେ କି ନାହିଁ? ସୌମ୍ୟ କିପରି ଭାବେ ଜଳିଗଲେ? ଘଟଣା ସଂପର୍କରେ କିଏ ପ୍ରଥମେ ଜଣାଇଥିଲା? କାହାର ନିଷ୍ପତ୍ତି କ୍ରମେ ସୌମ୍ୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା? ବୈବାହିକ ଜୀବନରେ କିଛି ବିବାଦ ଥିଲା କି? ମିଳିଥିବା ରିଲେସନସିପ୍ ଏଗ୍ରିମେଣ୍ଟ ସତ ନା ମିଛ? କିଏ ଓ କେତେବେଳେ ସେହି ଏଗ୍ରିମେଣ୍ଟ କରିଥିଲା? ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଡିଟେକ୍ସନ ଟେଷ୍ଟ ବେଳେ ପଚରାଯାଇଥିବା ସୂଚନା ମିଳିଛି।
ପୂର୍ବରୁ ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇସାରିଛି। ଏସିଏଫ୍‌ ସୌମ୍ୟ ରଂଜନଙ୍କ ମୃତ୍ୟୁକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥାକୁ ସଫଳତା ମିଳିପାରିନି। ଆଜି ପର୍ଯ୍ୟନ୍ତ ପୁଲିସ ବା କ୍ରାଇମବ୍ରାଞ୍ଚ କାହାକୁ ଗିରଫ କରିପାରି ନାହିଁ। ଯାହାକୁ ନେଇ ମୃତ ସୌମ୍ୟଙ୍କ ପରିବାର ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସେପଟେ ତଦନ୍ତକାରୀ ସଂସ୍ଥା ଉପରେ ସୌମ୍ୟଙ୍କ ପରିବାର ବିଶ୍ୱାସ ତୁଟିବାରେ ଲାଗିଛି। ସେଥିପାଇଁ ସିବିଆଇ ତଦନ୍ତ ଦାବି କରୁଛନ୍ତି ମୃତ ସୌମ୍ୟଙ୍କ ବାପା ଓ ଭାଇ।
ବାବାହର ମାସେ ପରେ ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟର୍ସକୁ ଚାଲି ଯାଇଥିଲେ। ସେଠାରେ ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ। ତେବେ ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟ ଓ ପତ୍ନୀ ବିଦ୍ୟାଭାରତୀ କ୍ୱାର୍ଟର୍ସରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ତା’ପରେ ତାଙ୍କୁ ମେଡିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ୍‌ କରାଯାଇଥିଲା। ମାତ୍ର ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ଅଫିସ୍‌ ଗାଡ଼ିରେ ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version