ରାଜନୀତି

ଆସନ୍ତାକାଲି ପାଟକୁରାରେ ଶଙ୍ଖନାଦ କରିବେ ନବୀନ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନଥିବାବେଳେ ଉଭୟ ବିଜେଡି ଓ ବିଜେପି ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହି କ୍ରମରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅର୍ଥାତ୍ ସୋମବାର କେନ୍ଦ୍ରାପଡ଼ା ଗସ୍ତରେ ଯାଇ ବଳଦେବଜୀଉଙ୍କ ଦର୍ଶନ ଆଳରେ ନିର୍ବାଚନ ବିଗୁଲ ବଜାଇବେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ନବୀନ ଆସନ୍ତା ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ ବଳଦେବଜୀଉଙ୍କ ଦର୍ଶନ ପରେ ପାଟକୁରାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଦଳୀୟ ସଭାରେ ନବୀନ ପାଟକୁରାରୁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରିବେ ବୋଲି ଜଣାପଡ଼ିଛି। ପାଟକୁରା ବିଧାନସଭା ଆସନ ଜିଣିବା ଏବେ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଥିବାବେଳେ ବିଜେପି ପ୍ରାର୍ଥୀ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରତି ବଢ଼ୁଥିବା ସହାନୁଭୂତିକୁ ଦୃଷ୍ଟିରେ ରଖି ବିଜେଡି ନିଜର ଟ୍ରମ୍ପକାର୍ଡ (ନବୀନ ପଟ୍ଟନାୟକ)ଙ୍କୁ ଏବେଠୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ ସୋମବାର ନବୀନଙ୍କ ପାଟକୁରାରେ ନିର୍ବାଚନ ପ୍ରଚାର ପାଇଁ ଆୟୋଜିତ ସଭାରେ ପ୍ରାୟ ୨୦ରୁ ୩୦ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା ହେଉଛି। ବିଜେଡି ଏବେ ପାଟକୁରା ଆସନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ନିମନ୍ତେ ନିଜର ମନ୍ତ୍ରୀ ଓ ବିଧାୟକମାନଙ୍କୁ ବ୍ଲକ ତଥା ପଞ୍ଚାୟତ ଦାୟିତ୍ୱ ଦେଇ ପ୍ରଚାର ଅଭିଯାନକୁ ଜୋରଦାର କରାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version