ରାଜନୀତି

ଏଥର ନିର୍ବାଚନ ଲଢ଼ିବେନି ବିଜୟ ଓ ଶ୍ରୀକାନ୍ତ !

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ରାଜନୀତିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଶ୍ରୀକାନ୍ତ ଜେନା ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ନଥିବା ଜଣାପଡ଼ିଛି।
ବରିଷ୍ଠ ନେତା ଶ୍ରୀ ଜେନା ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଜଆଡ଼ୁ ଘୋଷଣା କରିଥିବାବେଳେ ଶ୍ରୀ ମହାପାତ୍ର ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି। ୨୦୧୮ ନଭେମ୍ବର ୩୦ତାରିଖରେ ବିଜେପିରୁ ଇସ୍ତଫା ଦେବା ପରେ ଶ୍ରୀ ମହାପାତ୍ର ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିଜେଡିକୁ ତାଙ୍କର ଘରବାହୁଡ଼ାକୁ ଦଳର ସୁପ୍ରିମୋଙ୍କ ଗ୍ରୀନ୍ ସିଗନାଲ ନମିଳିବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଶ୍ରୀ ମହାପାତ୍ର କଂଗ୍ରେସ ସମର୍ଥନରେ ମହାକାଳପଡ଼ା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଶ୍ରୀ ମହାପାତ୍ର କଂଗ୍ରେସରେ ସାମିଲ ନହେଲେ ତାଙ୍କୁ ଦଳ ସମର୍ଥନ କରିବ ନାହିଁ ବୋଲି କଂଗ୍ରେସ ହାଇକମାଣ୍ଡ ରୋକଠୋକ୍ ଭାବେ ଜଣାଇ ଦେଇଥିବା ସୂଚନା ମିଳିଛି। ଯାହାପରେ ଶ୍ରୀ ମହାପାତ୍ରଙ୍କ ଘନିଷ୍ଠ ସମର୍ଥକମାନେ ତାଙ୍କୁ ଆଗାମୀ ନିର୍ବାଚନ ନଲଢ଼ିବା ପାଇଁ ପରାମର୍ଶ ଦେଇଛନ୍ତି। ନିଜର ସମର୍ଥକମାନଙ୍କ ସହ ବିଚାରବିମର୍ଶ ପରେ ଶ୍ରୀ ମହାପାତ୍ର ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଖୁବଶୀଘ୍ର ଘୋଷଣା କରିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ବିଜେପିରେ ସାମିଲ ହେବାପରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିଜ ଦଖଲରେ ରଖିବା ପାଇଁ ବିଜେଡି ଏବେ ପରୋକ୍ଷରେ ଶ୍ରୀ ମହାପାତ୍ରଙ୍କ ସହଯୋଗ ନେବ ବୋଲି ଜଣାପଡ଼ିଛି। ବରିଷ୍ଠ ନେତା ଦିଲ୍ଲୀପ ରାୟ ଖୁବଶୀଘ୍ର ବିଜେଡିରେ ସାମିଲ ହେବେ ଓ ଦଳ ତାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ଶ୍ରୀ ରାୟଙ୍କ ସହ ଘନିଷ୍ଠତା ଥିବାରୁ ଆଗାମୀ ନିର୍ବାଚନରେ ଶ୍ରୀ ମହାପାତ୍ର ମଧ୍ୟ ତାଙ୍କୁ କେନ୍ଦ୍ରାପଡ଼ାରେ ସହଯୋଗ କରିବେ ବୋଲି ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଆଉ ନିର୍ବାଚନ ସରିବା ପରେ ଶ୍ରୀ ମହାପାତ୍ରଙ୍କୁ ବିଜେଡି ଆବଶ୍ୟକ ଥଇଥାନ କରିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version