ରାଜନୀତି

ଓଡ଼ିଶାବାସୀଙ୍କୁ ସ୍ୱପ୍ନ ଦେଖାଇଲେ ଶାହ

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି କୋହଳ ମନୋଭାବ ପ୍ରଦର୍ଶନ କରିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଓଡ଼ିଶା ଗସ୍ତରେ ଆସି ନବୀନଙ୍କ ଉପରେ ପୂରା ବାର୍ଷିଛନ୍ତି । ପ୍ରଥମେ ସେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁର ଯାଇ ପୁଷ୍ପମାଲ୍ୟ ଦେଇ ଆସିଲା ପରେ ସାଲେପୁରର କୁଳିଆଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମାବେଶକୁ ଯାଇଥିଲେ। ଓଡ଼ିଶାରେ ବିଜେପି ସରକାର ଆସିଲେ କଣ କରିବ ସେ ନେଇ ମଧ୍ୟ ଅନେକ ସ୍ୱପ୍ନ ଶାହ ଦେଖାଇଛନ୍ତି । ଏମାନେ ବି ୧୯ ବର୍ଷ ଶାସନ କଲେ ଓଡ଼ିଶା ଯେଉଁ ଗରିବକୁ ସେ ଗରିବ । ଏଣୁ ଗୋଟିଏ ସୁଯୋଗ ନରେନ୍ଦ୍ର ମୋଦିଙ୍କୁ ଦିଅନ୍ତୁ ବୋଲି ସେ କହିଥିଲେ ।
ନବୀନଙ୍କ ନାଁ ନ ନେଇ ଶାହା ତାତ୍ସଲ୍ୟ କରି କହିଥିଲେ ଉକ୍ରଳ ଗୌରବ ମଧୁସୁଦନ ଦାସ ଓଡ଼ିଆ ଭାଷା ଓ ଉକ୍ରଳ ପ୍ରଦେଶ ପାଇଁ ପୁରା ଜୀବନ ଲଢ଼ିଥିଲେ। ଏହି ଲଢ଼େଇ ସେ କେବଳ ଓଡ଼ିଶାରେ ନୁହେଁ କି ବଙ୍ଗଳାରେ ନୁହେଁ ଲଢ଼ି ଲଢ଼ି ଇଂଲଣ୍ଡ ପର‌୍ୟ୍ୟନ୍ତ ଯାଇ ଇଂରେଜଙ୍କ ବଧିର କାନରେ ଶଙ୍ଖ ବଜାଇଥିଲେ। ଏଣୁ ବିଜେପିର ସବୁ କର୍ମକର୍ତ୍ତା ସଂକଳ୍ପ ନେଇ ଯାଆନ୍ତୁ। ଉକ୍ରଳ ଗୌରବ ମଧୁବାବୁଙ୍କ କଳ୍ପନାର ନୂଆ ଓଡ଼ିଶା ଗଠନ କରିବା ଓ ଆଗାମୀ ବିଧାନସଭା ନିର୍ବାଚନରେ ଓଡ଼ିଆ ଭାଷା କହୁଥିବା ମୁଖ୍ୟମନ୍ତ୍ରୀ ଯେପରି ଓଡ଼ିଶାବାସୀଙ୍କୁ ମିଳିବ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଭଳି ମଧ୍ୟ ଶାହ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ନ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ଓଡ଼ିଶାର ଗରିବ ଲୋକଙ୍କୁ ରାଜ୍ୟ ବାହାରେ ଚିକିତ୍ସାରୁ ବଂଚିତ କରୁଥିବା କଥା କହିଥିଲେ ଏବଂ ୫ ବର୍ଷ ଭିତରେ ମୋଦି ସରକାର ଓଡ଼ିଶାକୁ ବିଭିନ୍ନ ପ୍ରକଳ୍ପରେ ଯେଉଁ ଅର୍ଥ ଦେଇଛନ୍ତି ତାକୁ ନବୀନ ପଟ୍ଟନାୟକ ସରକାର ତାହା ତଳସ୍ତରରେ ପହଂଚାଇ ଦେଉନାହାଁନ୍ତି। ରାଜ୍ୟ ସରକାରଙ୍କ ମନରେ ଭୟ ଆୟୁଷ୍ମାନ ଭାରତ ଯୋଜନା ଲାଗୁକଲେ ମୋଦି ଜୀ ଲୋକପ୍ରିୟ ହୋଇଯିବେ। ଏଠି ବିଜେପି ଆଗକୁ ବଢ଼ିବ। ନବୀନ ବାବୁ ପଂଚାୟତ ନିର୍ବାଚନର ଫଳାଫଳକୁ ଦେଖି ନିଅନ୍ତୁ। ଏହି ନିର୍ବାଚନର ଫଳାଫଳ କହୁଛି ଓଡ଼ିଶାରେ ଆସନ୍ତା ସରକାର ବିଜେପିର ସରକାର ହେବ ବୋଲି ସେ ଚେତାଇ ଦେଇଥିଲେ।
ନବୀନ ସରକାରଙ୍କ ବିଫଳତା କଥା ଦର୍ଶାଇ ଶାହ କହିଥିଲେ, ଦେଶର ସବୁଠାରୁ ଅଧିକ ଖଣିଜ ସମ୍ପଦ ଯଦି କେଉଁଠି ଅଛି ତାହା ଓଡ଼ିଶାରେ। ଓଡ଼ିଶା ସମ୍ପତ୍ତିବାନ କିନ୍ତୁ ଓଡ଼ିଶାବାସୀ ସମ୍ପତ୍ତିବାନ ନୁହଁନ୍ତି । କାରଣ କଣ, ଏ ସରକାର ବିକାଶ କିପରି କରାଯିବ ତାହା ଜାଣିନାହାଁନ୍ତି। ଗାଁକୁ ୨୪ ଘଣ୍ଟା ବିଜୁ ବ୍ୟବସ୍ଥା ନାହିଁ । ପାଇପ ପାଣି ମଧ୍ୟ ନାହିଁ । ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି । ଚାଷୀଙ୍କୁ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ମିଳୁନାହିଁ । ୪୦ ପ୍ରତିଶତ ଲୋକଙ୍କର ଘର ନାହିଁ । ୩୮ ପ୍ରତିଶତ ଲୋକଙ୍କୁ ପିଇବା ପାଣି ନାହିଁ । ଜମିକୁ ପାଣି ନ ମିଳିବାରୁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଓଡ଼ିଶା ସରକାର ମହାପ୍ରଭୁ ଜଗନ୍ନାଥ ରତ୍ନ ଭଣ୍ଡାରର ସୁରକ୍ଷା ମଧ୍ୟ କରିପାରିଲେ ନାହିଁ ବୋଲି ସେ କହିଥିଲେ ।
ଓଡ଼ିଶାରେ ବିଜେପି ସରକାର ଆସିଲେ କଣ କରିବ ସେ ନେଇ ମଧ୍ୟ ଅନେକ ସ୍ୱପ୍ନ ଶାହ ଦେଖାଇଛନ୍ତି । ସେ କହିଛନ୍ତି ଆମେ ଏଭଳି ଏକ ସରକାର ଓଡ଼ିଶାବାସୀଙ୍କୁ ଦେବୁ ଯେ, ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବ । ମୋଦିଙ୍କ ନେତୃତ୍ୱରେ ନୂଆ ଓଡ଼ିଶା ରଚନା କରାଯିବ । ମୋଦି ନୂଆ ଦେଶ ଗଠନ କରୁଛନ୍ତି ନୂଆ ଓଡ଼ିଶା ବି କରିବେ । ନୂଆ ଓଡ଼ିଶା କଣ । କେହି ବେକାର ରହିବେ ନାହିଁ ।ଗରୀବ ରହିବେ ନାହିଁ। କେହି ରୋଗୀରେ ରହିବେ ନାହିଁ। ଏଭଳି ଓଡ଼ିଶା ଗଢ଼ିବାକୁ ମୋଦି ଚାହୁଁଛନ୍ତି ।
୧୯ ବର୍ଷ ଧରି ଏଠାରେ ନବୀନ ପଟ୍ଟନାୟକଙ୍କ ସରକାର ଚାଲିଛି। ଆଉ ୨୦୦୯ରେ ନିର୍ବାଚନ ହେବାକୁ ଯାଉଛି । ଏଥର ନବୀନ ପଟ୍ଟନାୟକଙ୍କ ସରକାରକୁ ଶେଷ କରି ବିଜେପି ସରକାର ଆଣନ୍ତୁ। ଓଡ଼ିଶାବାସୀ କଂଗ୍ରେସକୁ ଲମ୍ବା ସମୟ ସୁଯୋଗ ଦେଇଛନ୍ତି। ଓଡ଼ିଶାର ବିକାଶ ହେଲାନାହିଁ। ୧୯ ବର୍ଷ ନବୀନ ବାବୁଙ୍କୁ ବିକାଶ ପାଇଁ ସୁଯୋଗ ଦେଲେ କିନ୍ତୁ ଓଡ଼ିଶାର ବିକାଶ ହେଲାନାହିଁ। ଏଣୁ କେବଳ ୫ ବର୍ଷ ମୋଦିଜୀଙ୍କୁ ଦିଅନ୍ତୁ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବୁ । ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ । କେହି ଓଡ଼ିଶାର ବିକାଶ କରିପାରିଲେ ନାହିଁ । ଗୋଟିଏ ଗଲେ ଆଉ ଗୋଟିଏ ଆସିବେ । କିନ୍ତୁ କିଛି ଫାଇଦା ହେବନାହିଁ । ସେମାନେ ବି ଶାସନ କରିଛନ୍ତି ଓଡ଼ିଶା ଯେଉଁ ଗରିବକୁ ସେ ଗରିବ । ଏମାନେ ବି ୧୯ ବର୍ଷ ଶାସନ କଲେ ଓଡ଼ିଶା ଯେଉଁ ଗରିବକୁ ସେ ଗରିବ । ଏଣୁ ଗୋଟିଏ ସୁଯୋଗ ନରେନ୍ଦ୍ର ମୋଦିଙ୍କୁ ଦିଅନ୍ତୁ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version