ରାଜନୀତି
ଗୁଇନ୍ଦା ଚିଠି ବିବାଦ: ୩ ବିଜେପି ନେତାଙ୍କୁ ଗୁରୁବାର ହାଜର ହେବାକୁ ନୋଟିସ୍
ଭୁବନେଶ୍ୱର(ଓଡ଼ିଶା ୱେୟାର):ଗୁଇନ୍ଦା ବିଭାଗ ସୋସିଆଲ ମିଡିଆରେ ପ୍ରକାଶିତ ଚିଠିକୁ ନେଇ ବିଜେପି ସମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବା ପରେ ଏବେ ଅଡୁଆରେ ପଡିଛନ୍ତି । ସାମ୍ବାଦିକ ସମ୍ମିଳନୀ କରିଥିବା ବିଜେପିର ୩ନେତାଙ୍କୁ ପୁଲିସ ନୋଟିସ ଜାରି କରିଛି । ଗୁରୁବାର ୧୦ଟା ବେଳେ ଖାରବେଳ ନଗର ଥାନାରେ ଉପସ୍ଥିତ ରହି ଏହା ସତାସତ୍ୟ ସମ୍ପର୍କରେ ତଥ୍ୟ ରଖିବାକୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପୁରୁଣା ନିର୍ବାଚନ ମଣ୍ଡଳି ହିଞ୍ଜିଳି ସହ ବରଗଡ଼ର ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହେବା ନେଇ ଘୋଷଣା କରିବା ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ହେଲା । ପରେ ବିଜେପି ନେତା ସମିର ମହାନ୍ତି, ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀ ସମ୍ବାଦିକ ସମ୍ମିଳନୀ କରି ଏକ ଗୁଇନ୍ଦା ରିର୍ପୋଟ ର କାଖଜ ଦର୍ଶାଇ ଅଭିଯୋଗ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ହାରିଯିବା ଭୟରେ ବିଜେପୁରରେ ପ୍ରାର୍ଥୀ ହେବାକୁ ଯାଇଛନ୍ତି । ଗୁଇନ୍ଦା ରିପୋଟରେ ହିଞ୍ଜିଳିରେ ନବୀନଙ୍କ ସ୍ଥିତି ଠିକ ନଥିବା ଦର୍ଶାଯାଇଛି ଏବଂ କେଉଁ କେଉଁ ଆସନରେ ନବୀନଙ୍କ ସ୍ଥିତି ଭଲ ଅଛି ତାହା ସେଥିରେ ଉଲ୍ଲେଖ କରାଯାଇଛି । ସେଥିମଧ୍ୟରୁ ମୁଖମନ୍ତ୍ରୀ ବିଜେପୁର ଆସନ ବାଛିଛନ୍ତି । ହାରିଯିବା ଭୟରେ ନବୀନ ଏଥର ଦୁଇ ଆସନରୁ ପ୍ରାର୍ଥୀ ହେବେ ବୋଲି ଅଭିଯୋଗ କରିଥିଲେ । ଏହି ରିର୍ପୋଟକୁ ପୁଲିସ ପକ୍ଷରୁ ଖନ୍ଦାନ କରାଯାଇଥିଲା । ଗୁଇନ୍ଦା ପକ୍ଷରୁ ଏଭଳି କିଛି ରିର୍ପୋଟ ଦିଆଯାଇନାହିଁ ବୋଲି କୁହାଯାଇଥିଲା । ଏଥିରେ ଥିବା ଦସ୍ତଖତ ଜାଲ ବୋଲି ମଧ୍ୟ କୁହାଗଲା । ଏଥିସହ ଥାନରେ ବିଜେପି ନେତାଙ୍କ ବିରୁଦ୍ଧରେ ଏତଲା ମଧ୍ୟ ଦିଆଗଲା । ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଲେ ଏହି ରିର୍ପୋଟ କେଉଁଠୁ ପାଇଲେ ସେହି ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଡାକି ପଚରା ଯିବ ।
ଅନ୍ୟ ପଟରେ ବିଜେଡି ମୁଖପାତ୍ର ପ୍ରତାପ କେଶରି ଦେବ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଭିଯୋଗକୁ ଖଣ୍ଡନ କରିଥିଲେ । ଏବଂ ରିର୍ପୋଟ ସମ୍ପୂର୍ଣ୍ଣ ଜାଲ ବୋଲି କହିଥିଲେ ।କର୍ଣ୍ଣାଟକରେ ଏହିଭଳି ଏକ ରିର୍ପୋଟ ବିଜେପି ନେତାମାନେ ଦେଖାଇଥିଲେ । ଉକ୍ତ ଚିଠିର ସତ୍ୟାସତ୍ୟ ଜାଞ୍ଚ ନକରି ଭୋଟରକୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିବାକୁ ବିଜେପି ଉଦ୍ୟମ କରିଥିବା ଶ୍ରୀ ଦେବ କହିଥିଲେ ।
ପରେ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ସମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଚ୍ୟାଲେଞ୍ଜ ଦେଇଥିଲେ । ସତ୍ୟାସତ୍ୟ ଅନୁସନ୍ଦାନ ପାଇଁ ସିବିଆଇ କିମ୍ବା ଏସଆଇଟି ତଦନ୍ତ ପାଇଁ ଦାବି କରିଥିଲେ । ଆଉ ଯଦି ସତସାହାସ ଅଛି ପୁଲିସ ବିଜେପି ନେତାମାନଙ୍କୁ ବାନ୍ଧୁ ବୋଲି ଆହ୍ୱାନ ଦେଇଥିଲେ । ଏପରିକି ଉଭୟ ବିଜେପି ଓ ବିଜେଡି ଉକ୍ତ ରିର୍ପୋଟକୁ ଆଧାର କରି ପରଷ୍ପର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ ।
ଏହି ଘଟଣାକୁ ନେଇ ପୁଳିସ ପକ୍ଷରୁ ଖାରବେଳ ନଗର ଥାନାରେ ହୋଇଥିବା ଏତଲାକୁ ଭିତିକରି ବିଜେପି ଉପସଭାପତି ସମିର ମହାନ୍ତି, ମୁଖ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରପାଠୀଙ୍କୁ ଗୁରୁବାର ଥାନାରେ ହାଜିରା ପାଇଁ ନୋଟିସ ଜାରି ହୋଇଛି ।