ରାଜ୍ୟ

ନିର୍ବାଚନ ପୂର୍ବରୁ ଅନନ୍ତ ଜେନାଙ୍କୁ ଥଇଥାନ, ହେଲେ ବିଡିଏ ଅଧ୍ୟକ୍ଷ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଆଜି ବିଡିଏ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଏହାସହିତ ବିଧାୟକ ପ୍ରାର୍ଥୀ ହେବାକୁ ଜୋରଦାର ପ୍ରୟାସ କରୁଥିବା ଶ୍ରୀ ଜେନାଙ୍କୁ ଶକ୍ତ ଝଟକା ଲାଗିଛି।
ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀ ଜେନାଙ୍କୁ ତରବରିଆ ଭାବେ ବିଡିଏ ଅଧ୍ୟକ୍ଷ ଭାବେ ରାଜନୀତିକ ଥଇଥାନ କରାଯାଇଛି। ସାଧାରଣତଃ ବିଡିଏ ଅଧ୍ୟକ୍ଷ ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଦାୟିତ୍ୱ ତୁଲାଇଥାନ୍ତି। ଶ୍ରୀ ଜେନା ଭୁବନେଶ୍ୱର ସେଣ୍ଟ୍ରାଲ ଓ ଭୁବନେଶ୍ୱର-ଉତ୍ତର ଆସନରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଗତ କିଛିମାସ ଧରି ଜୋରଦାର ଲବି କରୁଛନ୍ତି। ତେବେ ସେକ୍ସ ସିଡି ମାମଲାରେ ଶ୍ରୀ ଜେନା ଅଭିଯୁକ୍ତ ଥିବାରୁ ଆଗାମୀ ନିର୍ବାଚନରେ ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠାଇବାର ଆଶଙ୍କା ଥିବାରୁ ତାଙ୍କୁ ଦଳୀୟ ଟିକେଟ ନଦେବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଭୁବନେଶ୍ୱର ସହରରେ ଥିବା ବସ୍ତିଗୁଡ଼ିକରେ ଶ୍ରୀ ଜେନାଙ୍କ ଭଲ ପ୍ରଭାବ ଥିବାରୁ ତାଙ୍କୁ ଆଗୁଆ ଥଇଥାନ କରାଯାଇଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି।
ସେହିପରି ବିଜେଡିର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ଶ୍ରୀ ଜେନାଙ୍କ ମଧ୍ୟରେ ଶୀତଳଯୁଦ୍ଧ ଚାଲିଛି। ବିଜେଡି ଆଗାମୀ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ସେଣ୍ଟ୍ରାଲ ଓ ଭୁବନେଶ୍ୱର ଉତ୍ତର ଆସନରେ ନିଜର ପ୍ରାର୍ଥୀ ପରିବର୍ତ୍ତନ କରୁଥିବାରୁ ସଂଗଠନରେ ସନ୍ତୁଳନ ରକ୍ଷା ପାଇଁ ଶ୍ରୀ ଜେନାଙ୍କୁ ପ୍ରାର୍ଥୀ ନକରିବା ପାଇଁ ନିଷ୍ପତ୍ତି ନେଇଛି। ଶ୍ରୀ ଜେନା ନିଜର ଅନୁଗତ ଯୁବନେତା ଚିନ୍ମୟ ସାହୁଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇ ଭୁବନେଶ୍ୱର-ଉତ୍ତର ନିର୍ବାଚନମଣ୍ଡଳୀରେ ସମାନ୍ତରାଳ ଦଳୀୟ କାର୍ଯ୍ୟକ୍ରମ ମାନ କରିବାରେ ଲାଗିଛନ୍ତି। ଏଭଳି ଗୋଷ୍ଠୀକନ୍ଦଳକୁ ଏଡ଼ାଇବା ପାଇଁ ଦଳ ଶ୍ରୀ ଜେନାଙ୍କ ପ୍ରାର୍ଥୀତ୍ୱ ଦାବିଦାରୀକୁ ଖାରଜ କରି ତାଙ୍କୁ ବିଡିଏ ଅଧ୍ୟକ୍ଷ ପଦବୀରେ ଥଇଥାନ କରିଛି। ତେବେ ଦୀର୍ଘଦିନ ଧରି ବିଧାୟକ ହେବା ପାଇଁ ଲବି କରୁଥିବା ଶ୍ରୀ ଜେନା ଦଳର ଏହି ନିଷ୍ପତ୍ତିକୁ କିଭଳି ଗ୍ରହଣ କରୁଛନ୍ତି ଓ ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କାର୍ଯ୍ୟ କରିବେ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version