Latest
ନୂଆଦିଲ୍ଲୀରେ ପହଞ୍ଚିଲେ ଟିମ୍ ଇଣ୍ଡିଆର ଖେଳାଳି
ବାର୍ବାଡସରେ ଫସି ରହିଥିବା ଟି-୨୦ ବିଶ୍ଵ ଚାମ୍ପିୟନ ଟିମ ଇଣ୍ଡିଆର ଖେଳାଳିମାନେ ଆଜି ନୂଆ ଦିଲ୍ଲୀରେ ପହଞ୍ଚିଛନ୍ତି । ବାତ୍ୟା ହରିକେନ୍ କାରଣରୁ ଭାରତୀୟ ଦଳ ହୋଟେଲରେ ଅଟକି ରହିଥିଲା।
ବୁଧବାର ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ସହାୟତାରେ ଭାରତୀୟ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଦେଶ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏୟାର ଇଣ୍ଡିଆର ଏକ ସ୍ଵତନ୍ତ୍ର ଚାର୍ଟର ବିମାନ ଖେଳାଳିମାନଙ୍କୁ ନେଇ ଗୁରୁବାର ସକାଳ ପ୍ରାୟ ସାଢ଼େ ୬ଟାରେ ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା। ଖେଳାଳିମାନେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଖେଳାଳିମାନଙ୍କୁ ସ୍ଵାଗତ କରିବା ଲାଗି ପ୍ରଶଂସକମାନଙ୍କ ଭିଡ଼ ବି ଦେଖିବାକୁ ମିଳିଥିଲା।
ସକାଳୁ ବିମାନ ଅବତରଣ କରିବା ପରେ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ପୂର୍ବାହ୍ନ ୧୧ଟା ବେଳେ ତାଙ୍କୁ ଭେଟିବେ। ପରେ ଭାରତୀୟ ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ, ଯେଉଁଠାରେ ବିସିସିଆଇ ପକ୍ଷରୁ ଭାରତୀୟ କ୍ରିକେଟ ଦଳକୁ ସମ୍ମାନିତ କରାଯିବ।
ନରିମାନ ପଏଣ୍ଟରୁ ଏକ ଛାତଖୋଲା ବସ୍ରେ ଭାରତୀୟ ଖେଳାଳିମାନେ ଓ୍ବାଙ୍ଖଡେ ଅଭିମୁଖେ ଯାତ୍ରା କରିବେ। ବିସିସିଆଇ ସମ୍ପାଦକ ଜୟ ଶାହା ଏହି ଘୋଷଣା କରିବା ସହ ଭାରତୀୟ ଦଳର ବିଜୟ ପରେଡରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ।