Latest
ନୂଆବର୍ଷରୁ କରୋନା କଟକଣା କୋହଳ: ନୂଆବର୍ଷରୁ ଖୋଲିବ ସିନେମା ହଲ୍ , ଯାତ୍ରା ଓ ଥିଏଟରକୁ ବି ଅନୁମତି
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି । ଦୀର୍ଘ ୯ମାସ ଧରି ଥିବା କଟକଣାରେ କୋହଳ କରି ଚଳିତ ନୂଆବର୍ଷରୁ ଜନଜୀବନକୁ ସ୍ୱାଭାବିକ ନିମନ୍ତେ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅନଲକ ଗାଇଡଲାଇନ୍ ଅନୁରୂପ କେବଳ କଣ୍ଟେନମେଣ୍ଟ ଜୋନ୍ ଭିତରେ ଲକଡାଉନ୍ ଲାଗୁ ହେବ । ସିନେମା ହଲଗୁଡ଼ିକ ୫୦ ପ୍ରତିଶତ କ୍ଷମତା ସହ ଚାଲିବାକୁ ଅନୁମତି ଦିଆଯିବ । ଏହାସହିତ ଯାତ୍ରା, ଏଣ୍ଟରଟେନମେଣ୍ଟ କମ୍ପେ୍ଲକ୍ସ, ଥିଏଟର, ଅଡିଟୋରିୟମ ଆଦି ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେବେ । ତେବେ ଏଥିପାଇଁ କୋଭିଡ୍ ଗାଇଡଲାଇନ ପାଳନ ବାଧ୍ୟତାମୂଳକ ହେବ । ଅଙ୍ଗନବାଡ଼ିଗୁଡ଼ିକ ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସ୍କୁଲ ଓ କଲେଜ ଖୋଲିବା ସମ୍ପର୍କରେ ସମ୍ପୃକ୍ତ ବିଭାଗ ନିଷ୍ପତ୍ତି ନେବେ ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା ଆଜି ଜାନୁୟାରୀ ୧ରୁ ୩୧ତାରିଖ ପର୍ଯ୍ୟନ୍ତ ଅବଧି ନିମନ୍ତେ କରୋନା ଗାଇଡଲାଇନ୍ ଜାରି କରିଛନ୍ତି । ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷା ସମ୍ବନ୍ଧୀୟ ଆଦି ସମସ୍ତ ପ୍ରକାରର ସମାବେଶରେ ସର୍ବାଧିକ ୨୦୦ଜଣ ଲୋକ ଏକଜୁଟ ହେବା ପାଇଁ ଅନୁମତି ଦିଆଯାଇଛି । ଯାହାକି ଡିସେମ୍ବର ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାରଣ ରହିଥିଲା । ସେହିପରି ବିବାହ ଉତ୍ସବରେ ସର୍ବାଧିକ ୨୦୦ଜଣ ଓ ମୃତ୍ୟୁଜନିତ କାର୍ଯ୍ୟରେ ସର୍ବାଧିକ ୧୦୦ଜଣ ଲୋକ ସାମିଲ ହୋଇପାରିବେ । ବ୍ୟବସାୟିକ ବୈଠକରେ ସର୍ବାଧିକ ୨୦୦ଜଣ ଲୋକଙ୍କୁ ନେଇ ମିଟିଂ ହୋଇପାରିବ । ସେହିପରି ବନ୍ଦ କୋଠରୀର କ୍ଷମତାର ସର୍ବାଧିକ ୫୦ ପ୍ରତିାତ ଓ ୨୦୦ଜଣ ଲୋକଙ୍କୁ ନେଇ ବୈଠକ ହୋଇପାରିବ । ସଭାସ୍ଥଳଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ, ସାନିଟାଇଜର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ହେବ । ସ୍ଥାନୀୟ ପ୍ରଶାସନ ସେମାନଙ୍କର ଅଂଚଳର ସ୍ଥିତିକୁ ଦେଖି ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦ ସ୍ଥିର କରିପାରିବେ । ସମସ୍ତ ମେଡିକାଲ କଲେଜ ଡିସେମ୍ବର ୧ରୁ ଖୋଲିଛି । କିନ୍ତୁ ସ୍କୁଲ ଓ କଲେଜ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକ ଖୋଲିବା ନିଷ୍ପତ୍ତି ସମ୍ପୃକ୍ତ ବିଭାଗମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରି ନେବେ । ଅଫିସ ହେଉ ବା ସର୍ବସାଧାରଣସ୍ଥଳୀ ଅବା ଯାନବାହନରେ ଯିବାବେଳେ ମାସ୍କ ପିନ୍ଧିବା ଜରୁରୀ ହେବ । ସର୍ବସାଧାରଣ ସ୍ଥାନରେ ୬ଫୁଟର ସାମାଜିକ ଦୂରତ୍ୱ ପାଳନ କରିବେ । ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଉଭୟ ଗ୍ରାହକ ଓ କର୍ମଚାରୀମାନେ ପାଳନ କରିବେ । ବ୍ୟୁଟିପାର୍ଲର, ସେଲୁନ୍ ଓ ସ୍ପାଗୁଡ଼ିକୁ ସାନିଟାଇଜ୍ କରିବା ସହ ଆବଶ୍ୟକ ଗାଇଡଲାଇନ୍ ପାଳନ କରିବେ । ସେହିପରି ସର୍ବସାଧାରଣ ସ୍ଥାନରେ ପାନ,ଗୁଟଖା ଖାଇବା ଉପରେ କଟକଣା ଜାରି ହୋଇଛି । ସର୍ବସାଧାରଣରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ହେବ ।
ଏସବୁ ବ୍ୟତୀତ ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ୬୫ବର୍ଷ ବୟସରୁ ଅଧିକ ବ୍ୟକ୍ତି, ୧୦ବର୍ଷ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ମହିଳା ଓ ବହୁବିଧ ରୋଗରେ ପୀଡ଼ିତ ଲୋକମାନଙ୍କୁ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ମହାମାରୀ ଆଇନ ପରିଚାଳନା-୨୦୦୫ ଅନ୍ତର୍ଗତ ଏହି ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ, ମହାନଗର କମିଶନର ଓ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।