ରାଜ୍ୟ

‘ଫୋନି’ ଚୂଡ଼ାନ୍ତ କ୍ଷୟକ୍ଷତି ୯୩୩୬ କୋଟି ଟଙ୍କା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ସାମୁଦ୍ରିକ ଝଡ଼ ‘ଫୋନି’ ଯୋଗୁ ରାଜ୍ୟରେ ମୋଟ ୯,୩୩୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏଥିରୁ ୫୨୨୭.୬୮କୋଟି ଟଙ୍କା ଏନଡିଆରଏଫରୁ ଦେବା ପାଇଁ ରାଜ୍ୟ ସରକାର ଦାବି କରିବେ। ପୂର୍ବରୁ ଏହି କ୍ଷତି ପରିମାଣ ୧୧,୯୪୨ କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଫୋନି’ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପ୍ରାୟ ୨୬୦୦କୋଟି ଟଙ୍କା ହ୍ରାସ ପାଇଛି।
ଏସଆରସି ଶ୍ରୀ ସେଠୀ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଦେଇଥିବା ‘ଫୋନି’ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ‘ଫୋନି’ରେ ମୋଟ ୯,୩୩୬କୋଟି ଟଙ୍କା କ୍ଷତି ହୋଇଛି। ଏଥିରେ ୬.୬୪୩ କୋଟି ଟଙ୍କାର ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଥିବାବେଳେ ୨,୬୯୨ କୋଟି ଟଙ୍କାର ରିଲିଫ୍ ଓ ସହାୟତା ବଣ୍ଟନ କରାଯାଇଛି। ଏହି ମୋଟ କ୍ଷୟକ୍ଷତି ମଧ୍ୟରୁ ୫୨୨୭.୬୮କୋଟି ଟଙ୍କା ଏନଡିଆରଏଫ୍ ପାଣ୍ଟିରୁ ଦାବି କରାଯାଇଛି। ‘ଫୋନି’ରେ ମୋଟ ୬୪ଜଣ ଲୋକ ପ୍ରାଣ ହରାଇଥିବାବେଳେ ୧.୬୦କୋଟି ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଫୋନିରେ ୧୪ଟି ଜିଲ୍ଲାର ୨୦,୩୭୬ଟି ଗାଁ ପ୍ରଭାବିତ ହୋଇଛି। ଫୋନିରେ ୫ଲକ୍ଷ ୫୬ହଜାର ୭୬୧ଟି ଘର ସମ୍ପୂର୍ଣ୍ଣ ଅବା ଆଂଶିକ ନଷ୍ଟ ହୋଇଥିବାବେଳେ ୧.୮୮ଲକ୍ଷ ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଥିବା ଚୂଡ଼ାନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ସମୟରେ ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।
ଅନ୍ୟପକ୍ଷରେ ‘ଫୋନି’ କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମକୁ ରାଜ୍ୟ ସରକାର ଦେଇଥିବା ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ ରିପୋର୍ଟରେ ମୋଟ ୧୧,୯୪୨ କୋଟି ଟଙ୍କା କ୍ଷତି ହୋଇଥିବା ଦର୍ଶାଇଥିଲେ। ଏଥିରେ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ଓ ବିଭିନ୍ନ ସହାୟତା ବାବଦରେ ୬୭୬୭.୫୬ କୋଟି ଟଙ୍କା ଓ ସାର୍ବଜନୀନ ସମ୍ପତ୍ତି ନଷ୍ଟ ବାବଦରେ ୫୧୭୫.୧୨ କୋଟି ଟଙ୍କା କ୍ଷତି ହୋଇଥିବା ରାଜ୍ୟ ସରକାର ଦାବି କରିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version