Latest

ମନ୍ତ୍ରୀଙ୍କୁ ବଂଚାଇବାକୁ ଶାସକ ଦଳର ମୁଖପାତ୍ର ସାଜିଛନ୍ତି ପୁଲିସ ଡିଜି : ବିଜେପି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ପରୀ ହତ୍ୟା ମାମଲାରେ ବିଜେପି ଆଜି ରାଜ୍ୟ ପୁଲିସ ଡିଜିଙ୍କୁ ସିଧାସଳଖ ଟାର୍ଗେଟ୍ କରିବା ସହ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ସେ ଶାସକ ଦଳର ମୁଖପାତ୍ର ସାଜିଛନ୍ତି ବୋଲି ଅଭିଯୋଗ କରିଛି ।
ବିଜେପି ରାଜ୍ୟ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜିଙ୍କ ଦ୍ୱାରା ପରୀ ମାମଲାରେ ଜାରି ପ୍ରେସ ରିଲିଜକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ଗତକାଲି ପୁଲିସ ଡିଜି ପରୀ ହତ୍ୟାକାଣ୍ଡ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟର ବୋଲି କହିଛନ୍ତି । ମାତ୍ର ଏହା ସଂପୂର୍ଣ୍ଣ ମିଥ୍ୟା । ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ତଥା ମୁଖ୍ୟ ଅଭିଯୁକ୍ତ ବୋଲାଉଥିବା ବାବୁଲା ନାୟକକୁ ଘଂଟ ଘୋଡ଼ାଇବା ଓ ସୁରକ୍ଷା ଦେବା ପାଇଁ ପୁଲିସ ବିଭାଗକୁ ବ୍ୟବହାର କରାଯାଉଛି । ପୁଲିସ ଡିଜି ଶାସକ ଦଳର ମୁଖପାତ୍ର ସାଜି ମୁଖ୍ୟ ଅଭିଯୁକ୍ତଙ୍କୁ ଘଂଟ ଘୋଡ଼ାଇବାର ପ୍ରୟାସ କରୁଛନ୍ତି, ନହେଲେ ଏଭଳି ଅସତ୍ୟ ପ୍ରେସ୍ ରିଲିଜ୍ କେବେ କେହି ଦିଏ ନାହିଁ । ବନ୍ଦ ଲପାଫାରେ ସିଲ୍ ହୋଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କିଭଳି ସର୍ବସାଧାରଣ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶ୍ରୀମତୀ ସାମନ୍ତସିଂହାର ଆହୁରି କହିଛନ୍ତି ଯେ, ପରୀର ହତ୍ୟାକାଣ୍ଡ ଓଡ଼ିଶାର ଜନମାନସକୁ ବିଚଳିତ କରିଛି । ଚୋରା ଅଙ୍ଗ ଚୋରାଚାଲାଣର ସଂଗୀନ ଅଭିଯୋଗ ଆସିବା ପରେ ସିବିଆଇ ଦ୍ୱାରା ପରୀ ହତ୍ୟାକାଣ୍ଡର ତଦନ୍ତ, ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ପ୍ରଦାନ କରୁଥିବା ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ପାଇଁ ବିଜେପି ମୁଳରୁ ଦାବି କରି ଆସୁଛି । ମନ୍ତ୍ରୀ ପଦରେ ଥାଇ ଅରୁଣ ସାହୁ ତଦନ୍ତ ପ୍ରକ୍ରିୟାକୁ ବାଟମାରଣା କରିବାର ଆଶଙ୍କା ଥିବା କଥା ବିଧାନସଭା ଭିତରେ ଓ ବାହାରେ ବିଜେପି ଦାବି କରିଆସୁଛି । ଅନ୍ୟପଟେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ରାଜ୍ୟ ସରକାର ହାଇକୋର୍ଟ ବିଚାରପତିଙ୍କ ତ୍ୱତ୍ତାବଧାନରେ ଏସଆଇଟି ଗଠନ କରାଯାଇ ଦୋଷୀକୁ ଦଣ୍ଡ ପ୍ରଦାନ କରିବେ ବୋଲି କହିଥିଲେ । ମାତ୍ର ରାଜ୍ୟସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ଟିମ୍ ନା କୈାଣସି ହାଇକୋର୍ଟ ଜଜ୍‌ଙ୍କ ଦ୍ୱାରା ତତ୍ୱବଧାନରେ ହେଉଛି ନା ରାଜ୍ୟ ସରକାର ଏ ସଂପର୍କରେ କୈାଣସି ମନ୍ତବ୍ୟ ଦେଇଛନ୍ତି । ସେହିପରି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବର୍ତ୍ତମାନ ରାଜ୍ୟ ପରିବହନ ନିଗମର ଅଧ୍ୟକ୍ଷ ହୋଇଥିବା କାରଣରୁ ତାଙ୍କ ଯୋଗ୍ୟତା ଉପରେ ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ଜୋର ଜବରଦସ୍ତ ଭାବେ ଏସଆଇଟିକୁ କୋର୍ଟ ମନିଟରିଂ ବୋଲି କହି କେବଳ ମିଛ କହୁଛନ୍ତି ବୋଲି ରାଜ୍ୟ ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏସଆଇଟି ମୁଖ୍ୟ ସେହି ଯୁବକକୁ ଜୋର ଜବରଦସ୍ତି ଭାବେ ଦୋଷ ସ୍ୱୀକାର କରିବାକୁ ୫ ଲକ୍ଷ ଟଙ୍କା ଲାଂଚ ଯାଚିଥିବାର ପ୍ରକାଶ ପାଇଛି । ଏପରିକି ଦୋଷ ସ୍ୱୀକାର କଲେ ତାକୁ ନାବାଳକ ଦର୍ଶାଇ ଖସାଇ ଦିଆଯିବ ବୋଲି ଏସଆଇଟି ମୁଖ୍ୟ କହିଥିବାର ପ୍ରକାଶ ପାଇଛି । ଏଭଳି ସଙ୍ଗୀନ୍ ଅଭିଯୋଗ ଆସିବାପରେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ବି ଏହି ପ୍ରସଙ୍ଗରେ ନିଜେ ଜଣେ ପକ୍ଷ ହୋଇଗଲେ । ତେଣୁ ଯିଏ ଏହି କେସରେ ଜଣେ ପାର୍ଟି ସେ ଏହି କେସକୁ ତଦନ୍ତ କରିପାରିବ ନାହିଁ । ମାନ୍ୟତା ନଥିବା ଏସଆଇଟି ଯେଉଁଭଳି ଭାବରେ ଗିରଫ କରି ତଦନ୍ତକୁ ଗୋଟିଏ ନିର୍ଦ୍ଧିଷ୍ଟ ଦିଗରେ ନେବା ପାଇଁ ଚେଷ୍ଟା କରୁଛି ଏହା ଅତ୍ୟନ୍ତ ଦୁଃଖଦ ଏବଂ ଅତି ହୀନ କଥା । ପରୀର କପଡାରୁ ଡିଏନଏ ପରୀକ୍ଷା ଜରିଆରେ ଯଦି ହତ୍ୟାକାରୀକୁ ଗିରଫ କରିବାରେ ଏସଆଇଟି ଟିମ୍ ସଫଳ ହେଲା, ତାହେଲେ ଦୀର୍ଘ ୫ ମାସରୁ ଉର୍ଦ୍ଧ ଧରି ନୟାଗଡ ଜିଲ୍ଲା ପୋଲିସ, ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକର କାହିଁକି ବାହାର କରିପାରିଲେ ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି । ସେ ନୟାଗଡ଼ ଏସପିଙ୍କ ବହିଷ୍କାର ଦାବି କରିବା ସହ ଏସଆଇଟିକୁ ନେଇ ମିଛ ତଥ୍ୟ ଦେଇଥିବାରୁ ପୁଲିସ ଡିଜି ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ୍ ବୋଲି ଲେଖାଶ୍ରୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version