ରାଜନୀତି

ମାନସ ମଙ୍ଗରାଜ ବିଜେଡିରେ ମିଶିଲେ

Posted on

ଭୁବନେଶ୍ୱର: ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ମାନସ ମଙ୍ଗରାଜ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରେ ସ୍ୱାଗତ କରିଛନ୍ତି । ଆସନ୍ତାକାଲି ଦଳୀୟ ମୁଖ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲାର କିଛି କଂଗ୍ରେସ ନେତା ମଧ୍ୟ ବିଜେଡିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ଆଜି ପୂର୍ବାହ୍ଣ ୧୦ଟା ସମୟରେ ଏୟାରପୋର୍ଟ ଛକସ୍ଥିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଏକ ବିରାଟ ଶୋଭାଯାତ୍ରାରେ ଆସି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନବୀନ ନିବାସ ଠାରେ ମିଶ୍ରଣ ପର୍ବରେ ଶ୍ରୀ ପଟ୍ଟନାୟକ ଦଳରେ ସାମିଲ ହୋଇଥିôବା ମାନସ ମଙ୍ଗରାଜଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ “ମାନସ ମଙ୍ଗରାଜ ଆଜି ଦଳରେ ସାମିଲ ହୋଇଥିବାରୁ ମୁଁ ବହୁତ ଆନନ୍ଦିତ । ଦଳ ଅଧିକ ଶକ୍ତିଶାଳୀ ହେବାରେ ତାଙ୍କ ଯୋଗଦାନ ସହାୟକ ହେବ । ଏହି ଅବସରରେ ମୁଁ ମାନସଙ୍କ ସହିତ ତାଙ୍କ ସମର୍ଥକଙ୍କୁ ସ୍ୱାଗତ ଜଣାଉଛି ।” ଅନ୍ୟପକ୍ଷରେ ମାନସ ମଙ୍ଗରାଜ କହିଥିଲେ ଯେ ମୁଁ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛି । ମୁଖ୍ୟମନ୍ତ୍ରୀ ଯାହା ମୋତେ କାର୍ଯ୍ୟ ଦେବେ ସବୁ କାର୍ଯ୍ୟ କରିବାକୁ ମୁଁ ପ୍ରସ୍ତୁତ ଅଛି । ମୁଁ ବିଧାୟକ ହେବା ପାଇଁ ଆସିନାହିଁ, ଦଳକୁ କିପରି ଅଧିକ ସଂଗଠିତ କରାଯାଇପାରିବ ସେଥିପାଇଁ ଦଳକୁ ଆସିଛି ବୋଲି ଶ୍ରୀ ମଙ୍ଗରାଜ କହିଥିଲେ । ଶ୍ରୀ ମଙ୍ଗରାଜଙ୍କ ସହ ଚିଲିକା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ପବିତ୍ର ହରିଚନ୍ଦନ, ବାଣପୁର ବ୍ଲକ କାର୍ଯ୍ୟକାରୀ ସଭାପତି ସୁଦାମ ଚରଣ ବାରିକ, ସାଧାରଣ ସଂପାଦକ ଅକ୍ଷୟ କୁମାର ମାଳି, ଖୋର୍ଦ୍ଧା ଜିଲ୍ଲା ସଂପାଦକ ସୌରୀ ଦାସଙ୍କ ସମେତ ୧୫୦୦ରୁ ଊଦ୍ଧ୍ୱର୍ କଂଗ୍ରେସ କର୍ମୀ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହି ଯୋଗଦାନ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଦଳର ସାଧାରଣ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ଉପଦେଷ୍ଟା ସଂଜୟ ବାବୁ, ସାଂଗଠନିକ ସଂପାଦକ କୁମାର ଜଗତବଲ୍ଲଭ ମହାରଥାଙ୍କ ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version