ରାଜ୍ୟ
ଅମର ଶତପଥୀ କାମଚଳା ବାଚସ୍ପତି, ୧ରେ ବାଚସ୍ପତି ନିର୍ବାଚନ
ଭୁବନେଶ୍ୱର(ଓଡ଼ିଶା ୱେୟାର): ଜୁନ୍ ୧ତାରିଖରେ ଓଡ଼ିଶା ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ଆଜି ରାଜଭବନରେ ଏକ ନିରାଡ଼ମ୍ବର ସମାରୋହରେ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଷୋଡ଼ଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି ।
ବିଜେଡିର ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ପରବର୍ତ୍ତୀ ବାଚସ୍ପତି ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାତ୍ର କହିଛନ୍ତି ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ସେ ଫୋନ୍ କଲ ପାଇଛନ୍ତି । ତାଙ୍କୁ ବିଜେଡି ବିଧାନସଭା ବାଚସ୍ପତି ପଦ ନିମନ୍ତେ ପ୍ରାର୍ଥୀ କରିବ ବୋଲି ସେ କହିଛନ୍ତି । ବିଜେଡିର ୧୧୨ଜଣ ବିଧାୟକ ଥିବାରୁ ଦଳର ପ୍ରାର୍ଥୀ ବାଚସ୍ପତି ହେବା ପ୍ରାୟତଃ ନିଶ୍ଚିତ । ସେହିପରି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିବ ବୋଲି ଜଣାପଡ଼ିଛି ।