Latest
ଆଇଟି ସେଲ ମୁଖିଆଙ୍କଠୁ କାଢ଼ିନେଲେ ସୋସିଆଲ ମିଡିଆ ପରିଚାଳନା ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଶକ୍ତ ଧକ୍କା । ଗତ କିଛଦିନ ତଳେ ତାଙ୍କଠୁ ଦଳର ସୋସିଆଲ ମିଡିଆ ପରିଚାଳନା ଦାୟିତ୍ୱ କାଢ଼ି ନିଆଯାଇଛି । ସେ ଆଇଟି ସେଲ୍ ମୁଖିଆ ରହିଥିଲେ ବି ଏଣିକି ଦଳର ଆଇଟି ସଂକ୍ରାନ୍ତ କାର୍ଯ୍ୟରେ ତାଙ୍କର କୌଣସି ଭୂମିକା ରହିବ ନାହିଁ ବୋଲି ଜଣାପଡ଼ିଛି ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ପ୍ରଚାର ନିମନ୍ତେ ଅମର ପଟ୍ଟନାୟକଙ୍କ ଉପରେ ବିଜେଡି ଭରସା କରିବା ସହ ତାଙ୍କୁ ଦଳର ଆଇଟି ସେଲ୍ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲା । ତାଙ୍କ ନେତୃତ୍ୱରେ ଦଳର ଏକ ବିଶାଳ ଆଇଟି ସେଲ୍ ମଧ୍ୟ କାର୍ଯ୍ୟ କରୁଥିଲା । ଅମରଙ୍କ ନେତୃତ୍ୱରେ ଥିବା ଆଇଟି ସେଲ୍ ରାଜ୍ୟର ପ୍ରମୁଖ ବିରୋଧୀ ବିଜେପିର ଆଇଟି ସେଲକୁ ଟକ୍କର ଦେବାରେ ମଧ୍ୟ ସେତେଟା ସକ୍ଷମ ହୋଇପାରିନଥିଲା । ଯଦିଓ ଦଳ ପକ୍ଷରୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଅମରଙ୍କ ଆଇଟି ସେଲକୁ ଯୋଗାଇ ଦିଆଯାଇଥିଲା । ସାଧାରଣ ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ଓ ଆଇଟି ସେଲର ପ୍ରଦର୍ଶନ ଆଶାନୁରୂପ ନରହିବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟାକୁ ଦଳ ପକ୍ଷରୁ ହ୍ରାସ କରି ଦିଆଯାଇଥିଲା । ଗତ ୬-୮ମାସ ଧରି ଆଇଟି ସେଲରେ ହାତଗଣତି କର୍ମଚାରୀ ଥିଲେ । ଶାସକ ଦଳର ଆଇଟି ସେଲ୍ ହୋଇଥିବା ସତ୍ତ୍ୱେ ପ୍ରଦର୍ଶନ ଉତ୍ସାହଜନକ ନରହିବା ଓ ବିରୋଧୀଙ୍କୁ ଠିକ୍ ଭାବେ କାଉଣ୍ଟର କରିବାରେ ସକ୍ଷମ ନହେବାରୁ ଅମରଙ୍କ ନେତୃତ୍ୱରେ ଚାଲିଥିବା ଆଇଟି ସେଲକୁ ବନ୍ଦ କରିଦିଆ ଯାଇଛି । ସୋସିଆଲ ମିଡିଆ ଯୁଗରେ ବିଜେଡି ନିଜର ବିଧାୟକ ଓ ସାଂସଦମାନଙ୍କୁ ପ୍ରଚାରପ୍ରସାର ନିମନ୍ତେ ସୋସିଆଲ ମିଡିଆର ଭରପୂର ଉପଯୋଗ ନିମନ୍ତେ ପରାମର୍ଶ ଦେଉଥିଲେ ମଧ୍ୟ ଏସବୁ ତଦାରଖ କରିବାରେ ମଧ୍ୟ ଅମରଙ୍କ ନେତୃତ୍ୱାଧୀନ ଆଇଟି ସେଲ୍ ଆଖିଦୃଶିଆ ପ୍ରଦର୍ଶନ କରି ପାରିନଥିଲା ।
ସୂଚନା ଅନୁସାରେ, ଗତ ଦୁଇ ସପ୍ତାହ ତଳେ ଅମରଙ୍କ ଆଇଟି ସେଲରେ କାର୍ଯ୍ୟରତ କିଛି କର୍ମଚାରୀମାନଙ୍କୁ ନବୀନ ନିବାସ ଡକାଯାଇଥିଲା । ସେଠାରେ ସେମାନଙ୍କ ସହ କଥାବାର୍ତ୍ତାରୁ ବାସ୍ତବ ସ୍ଥିତିକୁ ପରଖି ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଏହି ଆଇଟି ସେଲର ସମସ୍ତ କାର୍ଯ୍ୟକୁ ତାଙ୍କଠୁ କାଢ଼ି ନେଇଥିବା ଜଣାପଡ଼ିଛି । ଏବେ ଦଳର ଆଇଟି ସେଲ୍ ସଂକ୍ରାନ୍ତ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବଙ୍କ ଉପରେ ନ୍ୟସ୍ତ ହୋଇଛି । ଆଳି ବିଧାୟକ ଶ୍ରୀ ଦେବଙ୍କୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ସହଯୋଗ କରିବେ । ଅମରଙ୍କ ପାଖରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଓ ସେଠାରେ ଥିବା ଆବଶ୍ୟକ ସରଞ୍ଜାମ ମଧ୍ୟ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବଶ୍ୟ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ଦେବଙ୍କ ବାସଭବନରେ ଦଳର ମିଡିଆ ସେଲ୍ କାର୍ଯ୍ୟ କରୁଥିଲା । ଯାହାକି ପରବର୍ତ୍ତୀ ସମୟରେ ବନ୍ଦ ହୋଇଥିଲେ ମଧ୍ୟ ସେଠାରେ ସମସ୍ତ ସରଞ୍ଜାମ ଓ ଉପକରଣ ଏବେବି ରହିଛି ।
ଚର୍ଚ୍ଚା ହେଉଛି, ସାଧାରଣ ନିର୍ବାଚନର କିଛିମାସ ପୂର୍ବରୁ ବିଜେଡିରେ ସାମିଲ ହୋଇ ଅମର ପଟ୍ଟନାୟକ ନିଜକୁ ଦଳର ପ୍ରମୁଖ ରଣନୀତିକାର ଭାବେ ଅଭିହିତ କରିବାରେ ଲାଗିଥିଲେ । ଏପରିକି ଦିଲ୍ଲୀରେ ସଂସଦ ଅଧିବେଶନ ଚାଲିଥିବାବେଳେ ବରିଷ୍ଠ ସାଂସଦମାନଙ୍କୁ ସେ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ମଧ୍ୟ ପଛାଉ ନଥିଲେ । ନିଜସ୍ୱ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ବ୍ୟକ୍ତିଗତ ଭାବେ ଗଣମାଧ୍ୟମ ସଂସ୍ଥା ଓ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ
ସମାଲୋଚନା କରିବାକୁ ମଧ୍ୟ ସେ ପଛାଉ ନଥିଲେ । ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଘନିଷ୍ଠ ଭାବେ ଦର୍ଶାଇ ସେ କରୁଥିବା ଏହି ସବୁ ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଦଳରେ ଚର୍ଚ୍ଚା ।