Latest

ଏକାମ୍ର କ୍ଷେତ୍ରର ଐତିହ୍ୟ ସୁରକ୍ଷା ପାଇଁ ରାଜ୍ୟସ୍ତରୀୟ ଟେକନିକାଲ କମିଟି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜଧାନୀ ଭୁବନେଶ୍ୱରର ଏକାମ୍ର କ୍ଷେତ୍ରରେ ଅଣସଂରକ୍ଷିତ କୀର୍ତ୍ତିରାଜି ଓ ଐତିହ୍ୟର ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଟେକନିକାଲ କମିଟି ଗଠନ କରିଛନ୍ତି । ଏକାମ୍ର କ୍ଷେତ୍ର ପାଇଁ ଐତିହ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଏହି ରାଜ୍ୟସ୍ତରୀୟ କମିଟି ଗଠନ ହୋଇଛି । ଏକାମ୍ର କ୍ଷେତ୍ରରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ରକ୍ଷଣାବେକ୍ଷଣ ହେଉନଥିବା ମନ୍ଦିର, କୀର୍ତ୍ତିରାଜି ଓ ଐତିହ୍ୟଗୁଡ଼ିକ କିଭଳି ସୁରକ୍ଷିତ ରହିବ ସେ ସମ୍ପର୍କରେ ଏହି ଟେକନିକାଲ କମିଟି ନିଜର ପରାମର୍ଶ ଦେବେ ।
କମିଟିର ଅଧ୍ୟକ୍ଷ ଭାବେ ପ୍ରତ୍ନତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ(କୀର୍ତ୍ତିରାଜି) ଡଃ ଅଶୋକ ପଟେଲଙ୍କୁ ନିଯୁକ୍ତି ମିଳିଥିବାବେଳେ ଏସଆଇର ଅବସରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଜୀବନ ପଟ୍ଟନାୟକ, ରାଜ୍ୟ ଆର୍କୋଲୋଜିର ଅବସରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ବିକେ ରଥ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ(ଡିଜାଇନ) ଏନସି ପାଲ, ବନ୍ଦୋବସ୍ତ କମିଶନର, ସଂସ୍କୃତି ନିର୍ଦ୍ଦେଶକ, ଭୁବନେଶ୍ୱର ଏଏସଆଇ ସୁପରିଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଏବଂ ଓବିସିସି ଜେନେରାଲ ମ୍ୟାନେଜର ସଦସ୍ୟ ଥିବାବେଳେ ରାଜ୍ୟ ଆର୍କୋଲୋଜିର ସୁପରିଟେଣ୍ଡେଣ୍ଟଙ୍କୁ ଆବାହକ ସଦସ୍ୟ ଭାବେ କମିଟିରେ ସାମିଲ କରାଯାଇଛି । କମିଟି ଚାହିଁଲେ ବିଶେଷଜ୍ଞମାନଙ୍କୁ ମଧ୍ୟ ନିଯୁକ୍ତି ଦେଇପାରିବେ । ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
ଏକାମ୍ର କ୍ଷେତ୍ରର ନବକଳେବର ଓ ସୌନ୍ଦର୍ଯ୍ୟକରଣବେଳେ ଅନେକ ପୁରୁଣା କୀର୍ତ୍ତିରାଜି ଓ ମନ୍ଦିର ଠାବ ହୋଇଥିବାରୁ ସେଗୁଡ଼ିକର ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version