ରାଜନୀତି

ଓଡ଼ିଶାର ପ୍ରସ୍ତାବକୁ ରେଳ ମନ୍ତ୍ରୀଙ୍କ ପ୍ରତ୍ୟାଖ୍ୟାନ

Posted on

ଭୁବନେଶ୍ୱର : ରାଜ୍ୟରେ ୩ଟି ରେଳବାଇ ଡିଭିଜନ ଖୋଲିବା ଓ ସମଗ୍ର ରାଜ୍ୟକୁ ଗୋଟିଏ ଜୋନ୍ ମଧ୍ୟରେ ରଖିବାକୁ ଓଡ଼ିଶା ସରକାର କରିଥିବା ଦାବିକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ଆଜି ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଏହି ଦାବି ପ୍ରସଙ୍ଗରେ ଆଜି ବିଜେଡି ସାଂସଦମାନେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଭେଟିଥିଲେ । ମାତ୍ର କେବଳ ଓଡ଼ିଶା ପାଇଁ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ବୋଲି ଶ୍ରୀ ଗୋଏଲ ରୋକ୍ଠୋକ୍ ଭାବେ ଶୁଣାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ବିଜେଡି ଖୁବଶୀଘ୍ର ନିଜର ପରବର୍ତ୍ତୀ ରଣନୀତି ଚୂଡ଼ାନ୍ତ କରିବ ବୋଲି ସୂଚନା ମିଳିଛି ।
ଏ ସମ୍ପର୍କରେ ସୂଚନା ଦେଇ ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ଆଧାରରେ ଆଜି ବିଜେଡିର ସାଂସଦମାନେ ନୂଆଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ । କିନ୍ତୁ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ‘ ଓଡ଼ିଶାରେ ନୂଆ ରେଳ ଡିଭିଜନର କୌଣସି ପ୍ରସ୍ତାବ ନାହିଁ । କୌଣସି ଗୋଟିଏ ରାଜ୍ୟକୁ ଗୋଟିଏ ରେଳବାଇ ୟୁନିଟ୍ ମଧ୍ୟରେ ରଖିବା ସମ୍ଭବପର ନୁହେଁ । ଓଡ଼ିଶାରୁ ୱାଲଟିୟର ଡିଭିଜନ ସ୍ଥାନାନ୍ତର ହେବା ପ୍ରସଙ୍ଗ ଏବେ କେନ୍ଦ୍ର ସରକାରଙ୍କ ବିଚାରାଧୀନ ନାହିଁ । ୱାଲଟିୟର ଡିଭିଜନ ସ୍ଥାନାନ୍ତର ପ୍ରସଙ୍ଗରେ ମନ୍ତ୍ରଣାଳୟ ଗଠନ କରିଥିବା କମିଟି ମଧ୍ୟ ପ୍ରତିକୂଳ ରିପୋର୍ଟ ଦେଇଛନ୍ତି । ତେଣୁ ଏହି ଡିଭିଜନ ପୂର୍ବଭଳି ଓଡ଼ିଶାରେ ରହିବ ବୋଲି ସେ କହିଛନ୍ତି । ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ପରେ ବିଜେଡିର ପରବର୍ତ୍ତୀ ରଣନୀତି କ’ଣ ହେବ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଦେବ କହିଛନ୍ତି ଯେ, ଏପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ସେହି ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦଳର ସାଂସଦମାନେ ଆଜି ରେଳମନ୍ତ୍ରୀଙ୍କୁ ଭେଟିଥିଲେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କିଛିଦିନ ତଳେ ୩ଟି ନୂଆ ରେଳବାଇ ଡିଭିଜନ ରାଉରକେଲା,ଯାଜପୁର-କେନ୍ଦୁଝର ରୋଡ୍ ଓ ରାୟଗଡ଼ରେ ଗଠନ ନିମନ୍ତେ ଅନୁରୋଧ କରିଥିଲେ । ଏହା ସହିତ ସମଗ୍ର ଓଡ଼ିଶାକୁ ଗୋଟିଏ ଡିଭିଜନରେ ମଧ୍ୟରେ ରଖିବା ଓ ୱାଲଟିୟର ଡିଭିଜନକୁ ସ୍ଥାନାନ୍ତର ନକରିବାକୁ ଦାବି ଜଣାଇଥିଲେ । ବିଜେଡିର ଏହି ପ୍ରତିନିଧି ଦଳରେ ସାଂସଦ ଭର୍ତ୍ତୃହରି ମହତାବ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରସନ୍ନ ଆଚାର୍ଯ୍ୟ, ସରୋଜିନୀ ହେମ୍ବ୍ରମ, ରବିନ୍ଦ୍ର ଜେନା, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ପ୍ରଭାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version