ଦେଶ- ବିଦେଶ

କର୍ଣ୍ଣାଟକ ନିର୍ବାଚନ ଫଳାଫଳ : ରାଜ୍ୟପାଳଙ୍କ ଉପରେ ନଜର

Posted on

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ମ୍ୟାଜିକ୍‌ ନମ୍ବର ହାସଲ କରିବାରେ ବିଫଳ ହୋଇଛି। ନିର୍ବାଚନ ଫଳ ଅନୁସାରେ ବିଜେପି ୧୦୪, ଗୋଟିଏ ବିଏସ୍‌ପି ସିଟ୍‌ ସହିତ ଜେଡିଏସ୍‌ ୩୮ ଓ କଂଗ୍ରେସ ୭୮ ସିଟ୍‌ ହାସଲ କରିଛି। ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ କଂଗ୍ରେସ କଳେ ବଳେ କୌଶଳେ ଲାଗିପଡ଼ିଛି। ରାଜ୍ୟରେ ଦଳ ଆଶାତୀତ ସଫଳତା ପାଇ ନ ଥିବାରୁ ଜେଡିଏସ୍‌କୁ ନିସର୍ତ୍ତ ସମର୍ଥନ ଦେବାକୁ କଂଗ୍ରେସ ଘୋଷଣା କରିଛି । ସେପଟେ ବିଜେପି କର୍ଣ୍ଣାଟକ ହାତେଇବା ପାଇଁ ଉଦ୍ୟମ ଜାରି ରଖିଛି। ରାଜ୍ୟରେ ଦଳର ରଣନୀତିକୁ ମଜଭୁତ କରିବା ପାଇଁ ବିଜେପି ୩ଜଣ ଟାଣୁଆ ନେତା ଧର୍ମେନ୍ଦ୍ର ପ୍ରଧାନ, ଜେପି ନଡ୍ଡା ଓ ପ୍ରକାଶ ଜାୱଡେକରଙ୍କୁ କର୍ଣ୍ଣାଟକ ପଠାଇଛି। ସେମାନେ ସେଠାରେ ରହି ବିଜେପି ସରକାର ପାଇଁ ରଣନୀତ ପ୍ରସ୍ତୁତ କରିବେ ବୋଲି ଜଣା ପଡ଼ିଛି। ଏପରି କ୍ଷେତ୍ରରେ କର୍ଣ୍ଣାଟକ ରାଜ୍ୟପାଳ କ’ଣ ନିସ୍ପତ୍ତି ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି। କର୍ଣ୍ଣାଟକର ରାଜ୍ୟପାଳ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟକୁ ସରକାର ଗଠନ ପାଇଁ ଡାକିବେ ନା ବିଜେପିକୁ ନିମନ୍ତ୍ରଣ କରିବେ ତାହା ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଯେହେତୁ ବିଜେପି ସଂଖ୍ୟାରେ ଆଗରେ ରହିଛି, ସେହି ଦୃଷ୍ଟିରୁ ପ୍ରଥମେ ବିଜେପିକୁ ହିଁ ନିଜର ବହୁମତ ସାବ୍ୟସ୍ତ ପାଇଁ ଡାକିପାରନ୍ତି ରାଜ୍ୟପାଳ। ଅବଶ୍ୟ ଏହା ତାଙ୍କର ନିଷ୍ପତି ଉପରେ ନିର୍ଭର କରୁଛି। ସେପଟେ କଂଗ୍ରେସ୍‌ ଓ ଜେଡିଏସ୍‌ ପାଇଥିବା ଆସନ ମିଶିଗଲେ ମ୍ୟାଜିକ୍‌ ନମ୍ବରକୁ ଅତିକ୍ରମ କରିଯାଉଥିବାରୁ ପ୍ରଥମେ କଂଗ୍ରେସକୁ ରାଜ୍ୟପାଳ ଡାକିବେ ବୋଲି ଦଳ ଅଶା ରଖିଛି। ଏଭଳି ସ୍ଥିତିରେ ରାଜ୍ୟପାଳ କ’ଣ ନିର୍ଣ୍ଣୟ ନେଉଛନ୍ତି ତାହା ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version