ରାଜ୍ୟ

କଳିଙ୍ଗ ଷ୍ଟୁଡ଼ିଓ ଜମି ବିବାଦ: କ୍ରୀଡ଼ା ସଚିବଙ୍କ ୟୁଟର୍ଣ୍ଣ

Posted on

ଭୁବନେଶ୍ୱର : କଳିଙ୍ଗ ଷ୍ଟୁଡ଼ିଓର ଅବ୍ୟବହୃତ ଜମିରେ ସ୍ପୋର୍ଟସ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଶୁକ୍ରବାର ଦେଇଥିବା ପ୍ରସ୍ତାବକୁ ନେଇ ବିବାଦ ଦେଖାଦେବା ପରେ କ୍ରୀଡ଼ା ସଚିବ ବିଶାଳ ଦେବ ଆଜି ନିଜର ମତ ବଦଳାଇଛନ୍ତି । କଳିଙ୍ଗ ଷ୍ଟୁଡ଼ିଓ ଜମିରେ ସ୍ପୋର୍ଟସ କମ୍ପେ୍ଲକ୍ସ ନିର୍ମାଣ ପାଇଁ କ୍ରୀଡ଼ା ସଚିବ ଶ୍ରୀ ଦେବ ସାଧାରଣ ପ୍ରଶାସନ ବିଭାଗକୁ ଜମି ମାଗିବା ପରେ ରାଜ୍ୟ କଳାକାର ମହାସଂଘ ଓ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ।
ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ହ୍ୱାଟର୍ସଅପ୍ରେ ନିଜର ସ୍ପଷ୍ଟୀକରଣ ଦେଇ କ୍ରୀଡ଼ା ସଚିବ ଶ୍ରୀ ଦେବ କହିଛନ୍ତି ଯେ, କଳିଙ୍ଗ ଷ୍ଟୁଡ଼ିଓ ଜମିରେ ସ୍ପୋର୍ଟସ କମ୍ପେ୍ଲକ୍ସ ନିର୍ମାଣ ପାଇଁ ସରକାରୀସ୍ତରରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏହା କ୍ରୀଡ଼ା ବିଭାଗ ପକ୍ଷରୁ କେବଳ ଏକ ପ୍ରସ୍ତାବ ଥିଲା । ସହରର ଅଞ୍ଚଳ ବୃଦ୍ଧି ହେଉଥିବାରୁ ସ୍ପୋର୍ଟସ୍ କମ୍ପେ୍ଲକ୍ସ ସ୍ଥାପନ ଓ ଖେଳ ପଡ଼ିଆ ନିର୍ମାଣ କରିବା ପାଇଁ ଜମି ଯୋଗାଇ ଦେବାକୁ ସାଧାରଣ ପ୍ରଶାସନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା । ସେହି ଉଦ୍ଦେଶ୍ୟରେ କଳିଙ୍ଗ ଷ୍ଟୁଡ଼ିଓର ଜମି ପାଇଁ ଲେଖାଯାଇଥିଲା । ସାଧାରଣ ପ୍ରଶାସନ ବିଭାଗ ବିଭିନ୍ନ ସଂସ୍ଥା ଓ ଏଜେନ୍ସୀଠାରୁ ଜମି ଯୋଗାଇ ଦେବା ନିମନ୍ତେ ଅନୁରୋଧ ପାଉଛନ୍ତି । ତେବେ ଏହି ସାଧାରଣ ଚିଠିକୁ ନେଇ ନ୍ୟସ୍ତ ସ୍ୱାର୍ଥ ଉଦ୍ଦେଶ୍ୟରେ ଅଯଥା ବିବାଦ ସୃଷ୍ଟି ହୋଇଛି । ଯାହା ତାଙ୍କୁ ଦୁଃଖିତ କରିଛି ବୋଲି ଶ୍ରୀ ଦେବ କହିଛନ୍ତି । ସୂଚନାଯୋଗ୍ୟ, କଳିଙ୍ଗ ଷ୍ଟୁଡ଼ିଓ ଜମିରେ ସ୍ପୋର୍ଟସ କମ୍ପେ୍ଲକ୍ସ ନିର୍ମାଣ ପାଇଁ କ୍ରୀଡ଼ା ସଚିବ ଶ୍ରୀ ଦେବ ଚିଠି ଲେଖି ସାଧାରଣ ପ୍ରଶାସନକୁ ପ୍ରସ୍ତାବ ଦେବା ପରେ ଶନିବାର ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏପରିକି ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍ ଅଧ୍ୟକ୍ଷ ମୁନ୍ନା ଖାଁ ସିଧାସଳଖ ଏଭଳି ପ୍ରସ୍ତାବକୁ ବିରୋଧ କରିବା ସହ ଏହା କଦାପି କରାଇ ଦିଆଯିବ ନାହିଁ ବୋଲି କହିଥିଲେ । ସେହିପରି କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମଧ୍ୟ ଏଭଳି ପ୍ରସ୍ତାବ ସମ୍ପର୍କରେ କିଛି ଜାଣନ୍ତି ନାହିଁ ବୋଲି ମତ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version