ରାଜନୀତି

କୋଷ୍ଟାଲ ହାଇୱେ ଆନ୍ତରିକତା କମ୍ ଓ ରାଜନୀତି ବେଶୀ: ବିଜେଡି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ପ୍ରସ୍ତାବିତ କୋଷ୍ଟାଲ୍ ହାଇୱେ ପ୍ରକଳ୍ପ ନିର୍ମାଣ ଓଡ଼ିଶାବାସୀଙ୍କ ପାଇଁ ଏକ ପ୍ରତାରଣା ଓ ଧୋକା । ଏଥିରେ ଆନ୍ତରିକତା କମ୍ ଓ ରାଜନୀତି ବେଶୀ ବୋଲି ବିଜେଡି ଅଭିଯୋଗ କରିଛି ।
ଆଜି ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ନିର୍ମାଣ କରିବା ପାଇଁ କେନ୍ଦ୍ର ସଡ଼କ, ପରିବହନ, ରାଜପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ୨୦୧୫ ଜୁଲାଇ ମାସରେ ଘୋଷଣା କରି ୫ହଜାର କୋଟି ଟଙ୍କା ବ୍ୟୟବରାଦ ରହିଥିବା କହିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବିତ କୋଷ୍ଟାଲ୍ ହାଇୱେ ଏବଂ ଚନ୍ଦନପୁର-ରାମେଶ୍ୱର ଜାତୀୟ ରାଜପଥ ଖୁବ୍‍ଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା, ବହୁ ପ୍ରଚାରିତ ଏହି କୋଷ୍ଟାଲ୍ ହାଇୱେ ସଂପର୍କରେ ବାରମ୍ବାର ରାଜ୍ୟରେ ବିଭିନ୍ନ ସ୍ତରରେ ଦାବି ଉପସ୍ଥାପିତ ହେଲା ପରେ ୨୦୧୮ ନଭେମ୍ବର ୮ ତାରିଖ ଦିନ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରକଳ୍ପ ନିର୍ଦ୍ଦେଶକ
ଶିଶୁମୋହନ ରାଜ୍ୟର ସଦସ୍ୟ ସଚିବ (ଓଡ଼ିଶା କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି)ଙ୍କୁ ସିଆରଜେଡ୍ ଅନୁମୋଦନ ପାଇଁ ଚିଠି ପଠାଇବାର ଦୁଇଦିନ ପରେ ନଭେମ୍ବର ୧୦ ତାରିଖ ଦିନ ବିଜେର୍ପି ଏକ ସାମ୍ବାଦିକ ସମ୍ମିଳନୀରେ କରି ଏହି ପ୍ରକଳ୍ପ କରିବାରେ ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ । ରାଜ୍ୟ ସରକାର ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ଅନୁମତି ଦେଇନାହାନ୍ତି ବୋଲି ଅଭିଯୋଗ କଲା । ତେବେ ବିଜେଡି ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏହି ପ୍ରକଳ୍ପ କାର୍ଯ୍ୟରେ ସମସ୍ତ ସହଯୋଗ କରିବାକୁ ଓଡ଼ିଶା ସରକାର ଚିଠି ଲେଖି ଜଣାଇ ସାରିଛନ୍ତି । ତେବେ ଏନଏଚଏଆଇ ଏହି କୋଷ୍ଟାଲ ହାଇୱେ ପ୍ରଳ୍ପର ଆଲଏନମେଣ୍ଟ ଏପର୍ଯ୍ୟନ୍ତ ସ୍ଥିର କରିନଥିବାରୁ କୋଷ୍ଟାଲ୍ ହାଇୱେ ଅତିକ୍ରମ କରୁଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାର କେଉଁ ଜମି ଅଧିଗ୍ରହଣ କରାଯିବ ସେ ସଂପର୍କରେ ରାଜ୍ୟ ସରକାରଙ୍କ ପାଖରେ ଖବର ନାହିଁ କିମ୍ବା କେହି ଜଣାଇ ନାହାନ୍ତି । ତେଣୁ କେନ୍ଦ୍ରମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଜେପିର ରାଜ୍ୟନେତାମାନେ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ ନକରି ଲୋକଙ୍କୁ ଭୁଲ୍ ତଥ୍ୟ ଓ ମିଥ୍ୟା ପ୍ରତିଶ୍ରୁତି ଦେଇଚାଲିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଭ୍ୟାସଗତ ମିଛୁଆ ଓ ଧୋକାବାଜ ବୋଲି ଏଥିରୁ ଜଣାପଡ଼ୁଛି । କେବଳ ନିଜର ରାଜନୀତିକ ପତିଆରା ଦେଖାଇବାକୁ ଶ୍ରୀ ପ୍ରଧାନ ଏନଏଚଏଆଇକୁ ପ୍ରଭାବିତ କରି ଏଭଳି କରୁଥିବା ବିଜେଡି ସନ୍ଦେହ କରୁଛି । ତେଣୁ ସେ ଏଥିରୁ କ୍ଷାନ୍ତ ରହି ପ୍ରକଳ୍ପକୁ ଆଗେଇ ନେବା ପାଇଁ ବିଜେଡି ଦାବି କରୁଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ସମ୍ପାଦକ ବିଜୟ ନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version