Latest

ଘରୋଇ ହସ୍ପିଟାଲରେ ବି ହେବ କୋଭିଡ୍ ଟୀକକାରଣ, ମିଳିଲା ଅନୁମତି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଟୀକାକରଣ କେନ୍ଦ୍ର ହେବ । ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଜି ଅନୁମତି ଦେଇଛନ୍ତି । ଏନେଇ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଲିକାଭୁକ୍ତ ୧୮୩ଟି ଘରୋଇ ହସ୍ପିଟାଲରେ କୋଭିଡ୍ ଟୀକାକରଣ ସୁବିଧା ନିମନ୍ତେ ଅନୁମତି ଦେବାକୁ ଗତକାଲି କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଥିଲେ ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲଗୁଡ଼ିକୁ ଯୋଗ୍ୟ ନାଗରିକମାନଙ୍କ ନିମନ୍ତେ ଘରୋଇ କୋଭିଡ୍ ଟୀକରଣ କେନ୍ଦ୍ର ଭାବେ ଉପଯୋଗ ହେବ । ଏହାସହିତ ବିଭାଗ ମଧ୍ୟ ତାଲିକାଭୁକ୍ତ ଘରୋଇ ହସ୍ପିଟାଲ ଓ ନୋଡାଲ ଅଫିସରମାନଙ୍କର ତାଲିକା ଜାରି କରିଛି । ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଟୀକାକରଣ କିଭଳି ହେବ ସେ ନେଇ ମଧ୍ୟ କୋୱିନ ଗାଇଡଲାଇନ୍ ଜାରି ହୋଇଛି । ସୂଚନା ଅନୁସାରେ ଜଣେ ବ୍ୟକ୍ତି ନିଜ ମୋବାଇଲ ଫୋନରୁ କୋୱିନ୍ ପୋର୍ଟାଲକୁ ଯାଇ ନିଜକୁ ପଞ୍ଜିକୃତ କରାଇବେ । ମୋବାଇଲ ଫୋନକୁ ଓଟିପି ନମ୍ବର ଆସିବାପରେ ସେ ନିଜର ସବିଶେଷ ତଥ୍ୟ ଦାଖଲ କରିବେ । ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୪ଜଣଙ୍କ ନାଁ ପଞ୍ଜିକୃତ ହୋଇପାରିବ ।
ଯେଉଁସବୁ ଘରୋଇ ହସ୍ପିଟାଲରେ କୋଭିଡ୍ ଟୀକାକରଣ କେନ୍ଦ୍ର ହେବ ସେଠାରେ କୋଭିଡ୍ ଟୀକା ରଖିବା ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ଉପକରଣ ଓ କ୍ଷମତା ଥିବା ଜରୁରୀ । ଟୀକାକରଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ସ୍ଥାନ ଯଥା-ୱେଟିଂ ରୁମ୍ , ଟୀକାକରଣ ଗୃହ ଓ ଟୀକାକରଣ ପରେ ସ୍ଥିତି ପରଖିବା ପାଇଁ ଗୃହର ସୁବିଧା ରହିଥିବା ଜରୁରୀ । ଟୀକାକରଣ ନିମନ୍ତେ ଯଥେଷ୍ଟ ସଂଖ୍ୟକ ପ୍ରଶିକ୍ଷକ ଟୀକା ପ୍ରଦାନକାରୀ ଓ ଯାଂଚକାରୀ ରହିବା ଉଚିତ୍ । ସେହିପରି ସମସ୍ତ ଯୋଗ୍ୟ ହସ୍ପିଟାଲଗୁଡ଼ିକୁ ଟୀକାକରଣ କେନ୍ଦ୍ର ଭାବେ କୋୱିନ ୨.୦ ୱେବସାଇଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧାରିତ ଅବଧି ମଧ୍ୟରେ ପଞ୍ଜିକୃତ କରିବାକୁ ପଡ଼ିବ । ୪୫ରୁ ୫୯ବର୍ଷ ବୟସର ବ୍ୟକ୍ତିମାନେ ଏହି ଘରୋଇ ଟୀକାକରଣ କେନ୍ଦ୍ରରେ ଟୀକା ନେଇପାରିବେ । ସରକାରୀ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଟୀକା ସମ୍ପୂର୍ଣ୍ଣ ମାଗଣା ହେବ ଓ ଘରୋଇ ହସ୍ପିଟାଲରେ ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ହିସାବରେ ଉପଲବ୍ଧ ହେବ ।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଚିଠି ଲେଖି ବିକେଏସୱାଇ ଯୋଜନାରେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଟୀକାକରଣ କେନ୍ଦ୍ର ଖୋଲିବାର ଅନୁମତି ଦେବା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଏଥିପାଇଁ କେନ୍ଦ୍ର ସରକାର ତ୍ୱରିତ୍ ଅନୁମତି ଦେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଗାଇଡଲାଇନ୍ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version