Latest
ତୈଳଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କଲା ଯୁବ କଂଗ୍ରେସ
ଭୁବନେଶ୍ୱର(ଓଡ଼ିଶା ୱେୟାର): ତୈଳଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି ।
ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ ଛକ ମୁଖ୍ୟ ରାସ୍ତାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ । ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପାଇବା ଓ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତିବାଦରେ ଯୁବ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇଥିଲେ । ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କା କହିଛନ୍ତି ଯେ ଆନ୍ତର୍ଜାତିକ ବଜାରରେ ତୈଳଦର ବ୍ୟାରେଲ ପିଛା ୫୦ଡଲାରରୁ କମ୍ ଥିବାବେଳେ ସରକାର ପେଟ୍ରୋଲ-ଡିଜେଲ୍ ଦର ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଓଲଟା ତୈଳଦର କ୍ରମାଗତ ବୃଦ୍ଧି ପାଇ ଲିଟର ପିଛା ୯୦ଟଙ୍କାରେ ପହଂଚିଲାଣି । ଏବେ ସମଗ୍ର ଦେଶ କରୋନା ମହାମାରୀ ସହିତ ଲଢ଼େଇ ଏବଂ ଜୀବନଜୀବିକା ସହ ସଂଘର୍ଷ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି । ଏହାସହିତ ଆଗାମୀ ଦିନରେ ଯଦି ତୈଳ ଦର ନିୟନ୍ତ୍ରଣ ଓ କୃଷି ଆଇନ ପ୍ରତ୍ୟାହାର ନହୁଏ ତା’ହେଲେ ସମଗ୍ର ରାଜ୍ୟରେ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ସହ ଜୋରଦାର କରାଯିବ ବୋଲି ଶ୍ରୀ ଲେଙ୍କା ଚେତାବନୀ ଦେଇଛନ୍ତି ।
ଆଜିର ଏହି କଳାପତାକା ପ୍ରଦର୍ଶନ କାର୍ଯ୍ୟକ୍ରମରେ ମହମ୍ମଦ ଅଲ୍ଲୀମ୍, ନଳିନୀକାନ୍ତ ନାୟକ, ଆର୍ଯ୍ୟବୀର ଲେଙ୍କା, ଜ୍ଞାନରଞ୍ଜନ ରାଉତ, ଆଦିତ୍ୟ ପରିଡ଼ା, ଆଶୁତୋଷ ଲେଙ୍କା ଓ ରିତୁଲ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।