ରାଜନୀତି

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

Posted on

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ୍‍ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କୁ କଡ଼ା ଭାଷାରେ ବିଜେଡି ସଦସ୍ୟମାନେ ସମାଲୋଚନା କରିଛନ୍ତି ।
ବିଜେଡି ସାଧାରଣ ସମ୍ପାଦକ ତଥା ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଦଳର ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଜେଡି ସଦସ୍ୟମାନେ ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଆସି ସେଠାରେ ଏକ ପ୍ରତିବାଦ ସଭାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରୀ ଦାସବର୍ମା କେନ୍ଦ୍ର ତୈଳମନ୍ତ୍ରୀଙ୍କୁ କଠୋର ସମାଲୋଚନା କରି କହିଥିଲେ ଯେ ପେଟ୍ରୋଲ ଓ ଡିଜେଲ୍‍ ଦର ଯେପରି ବଢ଼ୁଛି, ସେଥିରେ ଆଗକୁ ଦରଦାମ ବଢ଼ିବା ନିଶ୍ଚିତ । ଭବିଷ୍ୟତରେ ଏପରି ହେଲେ ଏଥିପାଇଁ କେନ୍ଦ୍ର ସରକାର ଓ ତୈଳମନ୍ତ୍ରୀ ଦାୟୀ ରହିବେ । ଦେଶରେ ବିଗତ ୪ବର୍ଷ ମଧ୍ୟରେ ପେଟ୍ରୋଲ ଦର ବୃଦ୍ଧିରେ ରେକର୍ଡ ଟପିଛି । ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୭୨ ଟଙ୍କା ୫୭ ପଇସା ଥିଲାବେଳେ ଡିଜେଲ୍‍ ଦର ୬୯ ଟଙ୍କା ୨୮ ପଇସା ହୋଇଛି । ଦର ବୃଦ୍ଧି ପଛରେ କୌଣସି ଯୁକ୍ତି ନଥିବାରୁ ନିଜର ରାଜନୈତିକ ସ୍ଥିତିକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଅତୀତରେ ତୈଳ ମନ୍ତ୍ରାଳୟ ପକ୍ଷରୁ ‘ନାମ୍‍ କେ ବାସ୍ତେ’ ଉତ୍ପାଦନ ଶୁଳ୍କ ହ୍ରାସ ପାଇଁ ଦାବି ମଧ୍ୟ ବିଫଳ ହୋଇଥିଲା । ବରଂ ଉତ୍ପାଦ ଶୁଳ୍କ ୨୦୧୪ ନଭେମ୍ବରରୁ ଏଯାବତ୍‍ ୯ଥର ବଢ଼ିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‍ ପିଛା କମି ୪୦ ଡଲାରରେ ପହଞ୍ôଚଥିବା ବେଳେ ତୈଳ ଦର ଭାରତରେ କମାଇବା ପରିବର୍ତ୍ତେ ଅଧିକ ରାଜସ୍ୱ ପାଇବା ପାଇଁ କେନ୍ଦ୍ର ସରକାର ବାରମ୍ବାର ଉତ୍ପାଦ ଶୁଳ୍କ ବଢ଼ାଇ ଚାଲିଥିଲେ, ଯାହା ଆଦୌ ଗ୍ରହଣୀୟ ନୁହେଁ । ଏହା କ’ଣ ମୋଦିଙ୍କ ‘ଅଚ୍ଛେଦିନ୍‍’ ଓ ‘ସବ୍‍କା ସାଥ, ସବ୍‍କା ବିକାଶ’ର ନମୁନା? କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‍ ଦର ହ୍ରାସ ନକରିବା ପର୍ଯ୍ୟନ୍ତ ବିଜୁ ଯୁବ ଜନତା ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ବ୍ୟାପୀ ପ୍ରତିବାଦ ଜାରି ରହିବ ବୋଲି ଶ୍ରୀ ଦାସବର୍ମା କହିଥିଲେ । ଏହି ବିକ୍ଷୋଭ ଓ ଶୋଭାଯାତ୍ରାରେ ଦଳର ଯୁବ ସଭାପତି ଅମରେଶ ପତ୍ରୀ ଓ ଛାତ୍ର ସଭାପତି ରାଣାପ୍ରତାପ ପାତ୍ର, ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ପ୍ରକାଶ ତ୍ରିପାଠୀ, ସନ୍ତୋଷ ବେଜ୍‍, ଉପଦେଷ୍ଟା କୁନବିହାରୀ ଦାସ, ଅମରେଶ ଜେନା, ରଣଜିତ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ଅମରଜିତ୍‍ ସେନାପତି, କାର୍ଯ୍ୟକାରୀ ସଭାପତି ସୁଜିତ ସ୍ୱାଇଁ, ଦେବୀ ରଞ୍ଜନ ତ୍ରିପାଠୀ, ହରିଶଙ୍କର ରାଉତ, ସାଧାରଣ ସଂପାଦକ ସୁଜିତ ପାଲ୍‍ଟାସିଂହ, ପ୍ରଦୋଷ ପରିଡ଼ା, ମିକୁ ପରିଡ଼ା, ଭଗବାନ ସାହୁ, ଦୀପକ ଜେନା, ବିଶ୍ୱରଞ୍ଜନ ସାହୁ, କଳ୍ପତରୁ ଓଝା, ଅଜିତ ବେହେରା, ସ୍ନେହାଶିଷ ଜେନା, ଏସକେ. ଇମ୍ରାନ୍‍, ସଂପାଦକ ପ୍ରମୋଦ ପାତ୍ର, ଯୋଗେଶ ଜେନାଙ୍କ ସହ ହଜାରରୁ ଊଦ୍ଧ୍ୱର୍ ଦଳୀୟ କର୍ମକର୍ତ୍ତା ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version