ରାଜନୀତି

ଦାମଙ୍କ ପୁଅ ସମ୍ବିତଙ୍କୁ ପ୍ରାର୍ଥୀ କରିପାରେ ବିଜେଡି !

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ସାଧାରଣ ନିର୍ବାଚନ ପାଇଁ ଉଷ୍ମତା ବଢ଼ିଥିବାବେଳେ ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏପଟେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ନିଷ୍ପତ୍ତିକୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ପୁଣିଥରେ ଝୁଲାଇ ରଖିଛନ୍ତି। ଦିନେ-ଦୁଇଦିନ ଭିତରେ ସେ ଯେକୌଣସି ଦଳରେ ସାମିଲ ହେବେ ବୋଲି ଡାକ୍ତର ରାଉତ ଗଣମାଧ୍ୟମକୁ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିତୀୟ ରାଉଣ୍ଡ ଆଲୋଚନା ପାଇଁ ଆଜି ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମକୁ ଡାକ୍ତର ରାଉତ ବାତିଲ କରିବା ପରେ ସେ ବିଜେପିରେ ସାମିଲ ହେଉନଥିବା ଚର୍ଚ୍ଚା ଜୋର ଧରିଥିଲା।
ଆଜି ଡାକ୍ତର ରାଉତ ତାଙ୍କର ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିବା ଓ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କ ସହ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଆଲୋଚନାକୁ ଆଧାର କରି ଡାକ୍ତର ରାଉତ ଆଉ ବିଜେପିରେ ଯୋଗ ନଦେଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପରୁ ଦଳୀୟ ଟିକେଟ୍ ଦେଇ ପିତା ଡାକ୍ତର ରାଉତଙ୍କୁ ବିଜେଡି ମ୍ୟାନେଜ ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଥିଲା। ତେବେ ଗଣମାଧ୍ୟମରେ ଏହି ଚର୍ଚ୍ଚା ଜୋର ଧରିବା ପରେ ଡାକ୍ତର ରାଉତ ଏନେଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, “ଉଭୟ କଂଗ୍ରେସ ଓ ବିଜେପି ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି ତଥା ସେମାନଙ୍କ ସହ ଆଲୋଚନା ଚାଲିଛି। ଆଜି ମଧ୍ୟ ସେ ବିଜେପି ଶୀର୍ଷ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ପତ୍ନୀ ଅସୁସ୍ଥ ଥିବାରୁ ସେ ଗଲେ ନାହିଁ । କଂଗ୍ରେସରେ ସାମିଲ ହେବା ପାଇଁ ପିସିସି ସଭାପତି ତାଙ୍କୁ ମଧ୍ୟ ବାରମ୍ବାର ଫୋନ୍ କରୁଛନ୍ତି । ସେ ଦିନେ ଦୁଇଦିନ ମଧ୍ୟରେ ଯେକୌଣସି ଦଳରେ ସାମିଲ ହେବେ । ମାତ୍ର ପୁଅ ଓ ଝିଅଙ୍କୁ ଟିକେଟ୍ ଦେବା ପାଇଁ ସେ କାହାରିକୁ ଅନୁରୋଧ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।”
ଅନ୍ୟପକ୍ଷରେ ସମ୍ବିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପାରାଦୀପରୁ ନିର୍ବାଚନ ଲଢ଼ିବା ପାଇଁ ସେ ଆଶାୟୀ ଅଛନ୍ତି । କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେବକି ନଦେବ ତାହା ଦଳର ସଭାପତିଙ୍କ ଉପରେ ନିର୍ଭର କରେ । ସେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳର ନିଷ୍ପତ୍ତି ମାନିବେ । ତାଙ୍କ ପିତାଙ୍କୁ ବୁଝାଇବା ଦାୟିତ୍ୱ ତାଙ୍କର ନୁହେଁ ବୋଲି ସେ ସ୍ପଷ୍ଟ କରିବା ସହ ଆବଶ୍ୟକ ପଡ଼ିଲେ ପାରାଦୀପ ଆସନରେ ପିତା-ପୁତ୍ର ଲଢ଼େଇ କରିବାକୁ ପଛାଇବେ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version