ରାଜନୀତି

ନବୀନଙ୍କ ଝାରସୁଗୁଡ଼ା ଗସ୍ତ ପୂର୍ବରୁ ନବ-କିଶୋରଙ୍କୁ ମିଶାଇଲେ ସଞ୍ଜୟ ଓ ପ୍ରଣବ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଚଳିତମାସ ୨୪ତାରିଖରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ନବ ଦାସ ଝାରସୁଗୁଡ଼ାରେ ଏକ ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବିଜେଡିରେ ମିଶିବେ। ତେବେ ନବଙ୍କ ମିଶ୍ରଣକୁ ନେଇ ଅସନ୍ତୁଷ୍ଟ ଥିବା ସ୍ଥାନୀୟ ନେତା କିଶୋର ମହାନ୍ତି ଓ ତାଙ୍କ ସମର୍ଥକଙ୍କୁ ବୁଝାସୁଝା କରିବା ନିମନ୍ତେ ଦଳ ପକ୍ଷରୁ ଦୁଇ ଯୁବନେତା ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସଙ୍କୁ ଝାରସୁଗୁଡ଼ା ପଠାଯାଇଛି।
ଉଭୟ ନେତା ଝାରସୁଗୁଡ଼ାରେ ଏକ ହୋଟେଲରେ ନବ ଓ କିଶୋରଙ୍କ ସହ ଆଲୋଚନା କରିବାପରେ ସେମାନଙ୍କ ଭିତରେ ଥିବା ମତାନ୍ତରରେ ପୂର୍ଣ୍ଣଚ୍ଛେଦ ଘଟିଥିବା କୁହାଯାଉଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେ ଦିଗରେ ମଧ୍ୟ ଆଲୋଚନା ହୋଇଛି ।
ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଅତିକମରେ ୧ଲକ୍ଷ ଲୋକଙ୍କ ସମାବେଶ ପାଇଁ ପ୍ରସ୍ତୁତି ଚାଲିଛି । ଏହି ବିଶାଳ ଜନସଭା ମାଧ୍ୟମରେ ବିଜେଡି ସମଗ୍ର ପଶ୍ଚିମ ଓଡ଼ିଶାରେ ନିଜର ଦମ୍ ଦେଖାଇବ । ବିଧାୟକ ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ ଝାରସୁଗୁଡ଼ା ଯାଇ ସେଠାରେ ଉଭୟ ନବ ଓ କିଶୋରଙ୍କ ସହ ଆଲୋଚନା କରିଛନ୍ତି । ନବ ଓ କିଶୋରଙ୍କ ସହ ଏହି ଦୁଇ ନେତାଙ୍କ ଏକାନ୍ତ ଆଲୋଚନାବେଳେ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ଥିବା ରବିନାରାୟଣ ପାଣିଙ୍କୁ ଦୂରେଇ ରଖାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ କିଭଳି ସଫଳ କରାଯିବ ଓ ଜିଲ୍ଲାରୁ ଅଧିକ ସଂଖ୍ୟକ ଲୋକଙ୍କୁ କିପରି ସମାବେଶ ସ୍ଥଳକୁ ଅଣାଯିବ ସେହି ପ୍ରସଙ୍ଗରେ ଆଲୋଚନାରେ ଜିଲ୍ଲାର ଅନ୍ୟ ନେତାମାନଙ୍କୁ ସାମିଲ କରାଯାଇଥିବା ସୂଚନା ମିଳିଛି । ନବଙ୍କ ମିଶ୍ରଣ ଦ୍ୱାରା ଜିଲ୍ଲାରେ ନିଜର ପ୍ରଭାବ ହ୍ରାସ ପାଇବାର ଆଶଙ୍କା ଥିଲେ ମଧ୍ୟ ରାଜନୀତିକ ଅସ୍ତିତ୍ୱ ରକ୍ଷା ପାଇଁ କିଶୋର ନିରବ ରହିବାକୁ ଏକରକମ ବାଧ୍ୟ ହୋଇଛନ୍ତି ।
ସୂଚନା ଅନୁସାରେ ବରଗଡ଼ ଲୋକସଭା ଆସନ ଅଧୀନରେ ଥିବା ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ସମାବେଶ ସ୍ଥଳକୁ ଲୋକଙ୍କୁ ଅଣାଯିବ । ନବଙ୍କ ବିଜେଡିରେ ମିଶ୍ରଣ ପରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ସାଂଗଠନିକ ଦାୟିତ୍ୱ ନ୍ୟସ୍ତ କରାଯିବ ଓ କିଶୋରଙ୍କୁ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି ସନ୍ଦେଶ ଦିଆଯାଇଥିବା ଦଳର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version