Latest

ପଦାରେ ପଡ଼ିଲା ମହିଳା ବିଜେଡି ବିବାଦ, ହ୍ୱାଟସଅପ୍ ଗ୍ରୁପରେ ଚାଲିଛି ଲଢ଼େଇ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ନେତ୍ରୀ ତଥା ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କୁ ସୋସିଆଲ ମିଡିଆରେ କଡ଼ା ଭାଷାରେ ଦଳର ବରିଷ୍ଠ ନେତ୍ରୀ କସ୍ତୁରୀ ମହାପାତ୍ର ଖୋଲାଖୋଲି ଭାବେ ସମାଲୋଚନା କରିଛନ୍ତି । ଯାହା ଏବେ ମହିଳା ବିଜେଡିରେ ଥିବା ଫାଟକୁ ପଦାରେ ପକାଇଛି । ଗତ ଦୁଇ ସପ୍ତାହ ପୂର୍ବରୁ ବନ୍ଧୁମିଳନ ଆଳରେ ମହିଳା ବିଜେଡିର ଗୋଟିଏ ଗୋଷ୍ଠୀ ନିଜର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଏବେ ସୁଲୋଚନାଙ୍କୁ ଦଳର ବିଭିନ୍ନ ହ୍ୱାଟସଅପ୍ ଗ୍ରୁପରେ କସ୍ତୁରୀ ମହାପାତ୍ର ସମାଲୋଚନା କରିବାକୁ ନେଇ ଛକାପଞ୍ଝା ଜୋର ଧରିଛି ।
ମିଳିଥିବା ସୂଚନା ଅନୁସାରେ, ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର ଦଳର ବିଭିନ୍ନ ହ୍ୱାଟସଅପ୍ ଗ୍ରୁପରେ ଗଣମାଧ୍ୟମରେ ପ୍ରକାଶିତ ଏକ ଭିଡିଓକୁ ଶେୟାର କରି ବର୍ତ୍ତମାନର ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଶ୍ରୀମତୀ ମହାପାତ୍ର ଏକ ଭିଡିଓ ଶେୟାର କରି ଶ୍ରୀମତୀ ଦାସଙ୍କୁ ସିଧାସଳଖ କଟାକ୍ଷ କରି କହିଛନ୍ତି ଯେ, “ଆମ ଦଳର ଜଣେ ବ୍ୟକ୍ତି ଯେକି ଦାୟିତ୍ୱସମ୍ପନ୍ନ ଉଚ୍ଚପଦବୀରେ ଅଧିଷ୍ଠିତ ଅଛନ୍ତି, ତାଙ୍କର ଏଭଳି ଆଚରଣ ଅସହନୀୟ । କଦାପି ଗ୍ରହଣୀୟ ନୁହେଁ ।” ଏହି ଭିଡିଓରେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଶ୍ରୀମତୀ ଦାସ, ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଗଣମାଧ୍ୟମ ଆଗରେ ବର୍ଣ୍ଣନା କରୁଥିବାର ଦୃଶ୍ୟ ରହିଛି । ସେଥିରେ ଶ୍ରୀମତୀ ଦାସ କହିଛନ୍ତି ଯେ, “ଯେତେବେଳେ ସଚିବାଳୟ ଭିତରକୁ ସାଧାରଣ ଲୋକ ପ୍ରବେଶ କରିପାରୁନି, ଭିନ୍ନକ୍ଷମ ଭାଇଭଉଣୀମାନେ କିଭଳି ଯାଇପାରିବେ । କାହିଁକି ବିଭାଗର କାର୍ଯ୍ୟାଳୟକୁ ଭିନ୍ନକ୍ଷମ କମିଶନ ଅଫିସ ପାଖରୁ ଉଠାଇ ସଚିବାଳୟ ଭିତରକୁ ଅଣାଗଲା । କମିଶନ ଏନେଇ ବିଭାଗକୁ କାରଣଦର୍ଶଆ ନୋଟିସ୍ ବି ଜାରି କରିଛନ୍ତି । ବିଭାଗୀୟ ଅର୍ଥର ଦୁରୂପଯୋଗ ବି ହେଉଛି । କମିଶନଙ୍କ ପାଖରେ ଅଭିଯୋଗ ହେଲେ ସିନା କିଛି କରାଯିବ । ନହେଲେ କମିଶନ ଜାଣିବେ କେମିତି ବୋଲି ଶ୍ରୀମତୀ ଦାସ ଉକ୍ତ ଭିଡିଓରେ କହୁଥିବାର ଦେଖିବାକୁ ମିଳିଛି ।” ଅବଶ୍ୟ ଶ୍ରୀମତୀ ଦାସ ଯାହା କିଛି ଭୁଲ୍ କହିନାହାନ୍ତି । ସରକାରଙ୍କ କାର୍ଯ୍ୟର ଗୁମର ଖୋଲିଛନ୍ତି ।
ସୂଚନା ଅନୁସାରେ, ମାତ୍ର ଶାସକ ଦଳରେ ଥାଇ ସେ ଯେଉଁ ଢଙ୍ଗରେ ରୋକଠୋକ୍ ଭାବେ ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛନ୍ତି ତାକୁ ଦଳ ସହଜରେ ହଜମ କରିପାରିନି ଓ କସ୍ତୁରୀ ମହାପାତ୍ର ମାଧ୍ୟମରେ ଦଳର ସୋସିଆଲ ମିଡିଆ ଗ୍ରୁପରେ ଶ୍ରୀମତୀ ଦାସଙ୍କ ବିରୁଦ୍ଧରେ ଯୁଦ୍ଧଦେହଂ ଡାକରା ଦେଇଛନ୍ତି ।
ଚର୍ଚ୍ଚା ହେଉଛି, ମହିଳା ବିଜେଡିରେ ଛକାପଞ୍ଝା ଚାଲିଥିବା ଯୋଗୁ ଡିସେମ୍ବର ମାସରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମହିଳା ୱିଙ୍ଗ ସଭାନେତ୍ରୀ ଘୋଷଣା କରାଯାଇଥିଲା । କିନ୍ତୁ ଦଳର ଅନ୍ୟ ଏକ ମହିଳା ଗୋଷ୍ଠୀ ବନ୍ଧୁମିଳନ ଆଳରେ ରାଜଧାନୀର ଏକ ହୋଟେଲରେ ଶକ୍ତି ପ୍ରଦର୍ଶନ କରିବା ଓ ସେଠାରେ ନେତ୍ରୀମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ ପାଇଁ ପ୍ରତିଶ୍ରୁତି ଦିଆଯିବା ଯୋଗୁ ଶ୍ରୀମତୀ ଛୁରିଆ ଏପର୍ଯ୍ୟନ୍ତ ନିଜର ଟିମ୍ ଘୋଷଣା କରିବାରେ ସକ୍ଷମ ହୋଇପାରିନାହାନ୍ତି । ଅବଶ୍ୟ ଏହି ବନ୍ଧୁମିଳନରୁ ସ୍ନେହାଙ୍ଗିନୀଙ୍କ ସମର୍ଥକମାନେ ଦୂରେଇ ରହିଥିଲେ । ସ୍ନେହାଙ୍ଗିନୀ ତାଙ୍କ ଟିମ୍ କେବେ ଘୋଷଣା କରିବେ ତାହା ବି ସନ୍ଦେହଘେରରେ । ତେଣୁ ବିଜେଡି ମହିଳା ୱିଙ୍ଗରେ ଚାଲିଥିବା ଏହି ଛକାପଞ୍ଝା ଭିତରେ କସ୍ତୁରୀ ସିଧାସଳଖ ଦଳର ପୂର୍ବତନ କାର୍ଯ୍ୟକାରୀ ମହିଳା ସଭାନେତ୍ରୀ ତଥା ବର୍ତ୍ତମାନର ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କୁ ସମାଲୋଚନା କରିବା ମହିଳା ବିଜେଡିରେ ଚାଲିଥିବା ଗୋଷ୍ଠୀକନ୍ଦଳକୁ ତୀବ୍ରତର କରାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version