ରାଜ୍ୟ

ପାଟକୁରା ନିର୍ବାଚନ ଘୁଞ୍ଚାଇବା ପାଇଁ ଇସିଙ୍କୁ ଭେଟିଲେ ନବୀନ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ସାମୁଦ୍ରିକ ଝଡ଼ ‘ଫନି’ ଆସନ୍ତା ୩ତାରିଖରେ ଓଡ଼ିଶା ଉପକୂଳରେ ମାଡ଼ ହେବାର ଆଶଙ୍କା ଓ ପୂର୍ବାନୁମାନ ମଧ୍ୟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ଚିନ୍ତା ଘାରିଛି। ଅଚାନକ ଦିଲ୍ଲୀ ଗସ୍ତ କରି ନବୀନ ଆଜି ଅପରାହ୍ନ ୫ଟାରେ ଭାରତର ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି।
ଦିଲ୍ଲୀ ଗସ୍ତ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଅତି ଭୟଙ୍କର ବାତ୍ୟାର ରୂପ ନେଇସାରିଥିବା ‘ଫୋନି’ ର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ନିମନ୍ତେ ତୁରନ୍ତ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରୁ ନିର୍ବାଚନ ଆଚରଣ ବିଧି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ବିଜେଡି ଦାବି କରିଛି। ଏହାସହିତ ମଇ ୧୯ତାରିଖରେ ହେବାକୁ ଥିବା ପାଟକୁରା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ବିଜେଡି ଆଜି ନିର୍ବାଚନ କମିଶନଙ୍କୁ ଲିଖିତ ଭାବେ ଅନୁରୋଧ କରିଛି। ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଥିବାରୁ ପାଟକୁରା ନିର୍ବାଚନ ତାରିଖକୁ ଘୁଞ୍ଚାଇବା ପାଇଁ ସେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବେ। ବିଜେଡି ସୂତ୍ର ଅନୁସାରେ, ନିର୍ବାଚନ କମିଶନଙ୍କ ପାଖରେ ବିଜେଡି ପକ୍ଷରୁ ନିର୍ବାଚନ ସଂକ୍ରାନ୍ତ ଯେଉଁସବୁ ଅଭିଯୋଗ କରାଯାଇଛି ତା’ ଉପରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ‘କାଳିଆ’ ଯୋଜନାର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିବା ପାଇଁ ଅନୁମତି ନିମନ୍ତେ ଶ୍ରୀ ପଟ୍ଟନାୟକ ଅନୁରୋଧ କରିବାର ସମ୍ଭାବନା ରହିଛି। ଏପଟେ ପାଟକୁରା ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ବିଜେଡି ପାଟକୁରାରେ ପ୍ରାର୍ଥୀ କରାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version