ରାଜ୍ୟ

‘ପିଏମ-କିଷାନ’ରେ ଭୂମିହୀନ ଓ ଭାଗଚାଷୀଙ୍କୁ ସାମିଲ ପାଇଁ ନବୀନଙ୍କ ଦାବି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟର ସବୁ ବର୍ଗର ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ‘ପିଏମ୍-କିଷାନ’ ଯୋଜନାରେ ଥିବା ତ୍ରୁଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏହି କେନ୍ଦ୍ରୀୟ ଯୋଜନାରେ ଭୂମିହୀନ ଶ୍ରମିକ, ଭାଗଚାଷୀ ଓ ସମ୍ବେଦନଶୀଳ ଚାଷୀ ପରିବାରକୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଆଜି ଦାବି ଜଣାଇଛନ୍ତି।
କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ ଚଳିତମାସ ୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଫେବୃୟାରୀ ୨୫ତାରିଖ ସୁଦ୍ଧା ଯୋଗ୍ୟ ହିତାଧିକାରୀ ଚୟନ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ନିମନ୍ତେ ଅନୁରୋଧ କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଚାଷୀଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ‘କାଳିଆ’ ଯୋଜନାର ଗୁଣଗାନ କରିଛନ୍ତି। ରାଜ୍ୟର ୯୨ ପ୍ରତିଶତ ଚାଷୀ, ଭାଗ ଚାଷୀ, ଭୂମିହୀନ କୃଷି ଶ୍ରମିକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। କୌଣସି ଜଣେ ବି ଯୋଗ୍ୟ ଚାଷୀ ଯେଭଳି ‘କାଳିଆ’ ଯୋଜନ ସହାୟତା ପାଇବାରୁ ବଞ୍ଚତ ନହେବେ ସେଥିପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି । ତେଣୁ କେନ୍ଦ୍ରୀୟ ଯୋଜନା ‘ପିଏମ-କିଷାନ’ରେ ଭୂମିହୀନ ଶ୍ରମିକ, ଭାଗ ଚାଷୀ ଓ ସମ୍ବେଦନଶୀଳ ଚାଷୀ ପରିବାରକୁ ସାମିଲ କରିବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ପିଏମ-କିଷାନ ଯୋଜନାରେ ଶତପ୍ରତିଶତ ଅର୍ଥ ବହନ କେନ୍ଦ୍ର ସରକାର କରିବେ ଓ ବାର୍ଷିକ ୩ଟି କିସ୍ତିରେ ଚାଷୀଙ୍କୁ(୨ହେକ୍ଟର ପର୍ଯ୍ୟନ୍ତ ଜମି ଥିବା) ଏହି ୬ହଜାର ଟଙ୍କା ପ୍ରଦାନ କରିବେ । ଏହି ଯୋଜନା ୨୦୧୮ ଡିସେମ୍ବର ୧ରୁ ଆରମ୍ଭ ହୋଇଛି ଓ ପ୍ରଥମ ପର୍ଯ୍ୟାୟ କିସ୍ତି ସହାୟତା(୨ହଜାର ଟଙ୍କା)କୁ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ହିତାଧିକାରୀଙ୍କୁ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ଦର୍ଶାଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version