ରାଜ୍ୟ

ପିଠା କ୍ୟାମ୍ପରେ ସୁନେତ୍ର ଯୋଜନାରେ ମାଗଣା ଚଷମା ବଣ୍ଟନ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ପିଠା ଯୋଜନାରେ ଆଜି ଠାରୁ ସାର୍ବଜନୀନ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ (ସୁନେତ୍ର) ଯୋଡିହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଠା ମେଳାରେ ଚଷମା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ସହିତ ଉପସ୍ଥିତ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଯୋଜନା ସଂକ୍ରାନ୍ତରେ ସୂଚନା ଦେଇ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି ଯେ ରାଜ୍ୟରେ ସୁନେତ୍ର ଜରିଆରେ ମାଗଣା ଚକ୍ଷୁ ଚିକିତ୍ସାସେବା ଜାରି ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପିଠା କାର‌୍ୟ୍ୟକ୍ରମରେ ଚଷମା ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସୁନେତ୍ର ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟ ଯଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭକରି ମେଡିକାଲ କଲେଜ ପର‌୍ୟ୍ୟନ୍ତ ସବୁଠାରେ ଚକ୍ଷୁରୋଗୀମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି । ସେମାନଙ୍କର ଚକ୍ଷୁର ପରୀକ୍ଷା, ଔଷଧ ଯୋଗାଣ ସହିତ ଆବଶ୍ୟକସ୍ଥଳେ ଚଷମା ପ୍ରଦାନ କରାଯାଉଛି । ନିୟମିତ ଭାବେ ରାଜ୍ୟରେ ମୋତିଆବିନ୍ଦୁ ଅସ୍ତ୍ରେପଚାର ମଧ୍ୟ ହେଉଛି । ଏଥି ସହିତ ଚକ୍ଷୁପଟ୍ଟଳ ପ୍ରତିରୋପଣ ଏବଂ ଚକ୍ଷୁପଟ୍ଟଳର ଅନ୍ଧତ୍ୱ ଚିକିତ୍ସା ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି । ମଧୁମେହରେ ପ୍ରଭାବିତ ଚକ୍ଷୁରୋଗୀଙ୍କ ରେଟିନୋପାଥି ଭଳି ଗୁରୁତର ଚକ୍ଷୁ ସମସ୍ୟା ଏବଂ ଗ୍ଲୁକୋମା ଜନିତ ଚିକିତ୍ସା ମଧ୍ୟ ରୋଗୀଙ୍କୁ ମିଳୁଛି । ଆଜି ପିଠା ଯୋଜନାରେ ସୁନେତ୍ରକୁ ସାମିଲ କରାଯିବା ଫଳରେ ଯେଉଁ ମାନଙ୍କର ଚକ୍ଷୁ ପରୀକ୍ଷା ହୋଇଥିଲା ସେମାନେ ଏବେ ନିଜ ଘରପାଖରେ ସହଜରେ ଚଷମା ପାଇପାରିଛନ୍ତି । ଏଥି ସହିତ ପିଠା କ୍ୟାମ୍ପ୍‍ରେ ଉପସ୍ଥିତ ବିଶେଷଜ୍ଞମାନେ ମଧ୍ୟ ଚକ୍ଷୁରୋଗୀଙ୍କ ପରୀକ୍ଷା ନିରୀକ୍ଷା କରି ତକ୍ରାଳ ପରାମର୍ଶ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ବୟସ୍କ ବ୍ୟକ୍ତି ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏମାନଙ୍କ ଚକ୍ଷୁ ପରୀକ୍ଷା ସହିତ ସମ୍ପୂର୍ଣ୍ଣ ମାଗଣାରେ ଚଷମା ଦିଆଯାଉଛି । ଏହି ଯୋଜନାରେ ଲୋକଙ୍କୁ ଉତ୍ତମ ସେବା ଯୋଗାଣ ଲାଗି ରାଜ୍ୟ ସରକାର ଉଭୟ ସ୍ଥାୟୀ ଓ ଭ୍ରାମ୍ୟମାଣ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଉନ୍ନତିକରଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ସହିତ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ଡାକ୍ତର ଏବଂ କର୍ମଚାରୀମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସଂକ୍ରାନ୍ତରେ ତାଲିମ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ମାସର ଆଜିଠାରୁ ଆରମ୍ଭ ହୋଇଥିବା ବିଭିନ୍ନ ଜିଲ୍ଲାର ୧୧୦୨ ପଞ୍ଚାୟତର ପିଠା ଶିବିରରେ ୧୯,୮୧୯ ଜଣ ଛାତ୍ରଛାତ୍ରୀ ଏବଂ ୩୮,୩୦୬ ବୟସ୍କ, ମୋଟ୍‍ ୫୮,୧୨୫ ଜଣଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯିବ । ସାର୍ବଜନିତ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଜ୍ୟରୁ ଅନ୍ଧତ୍ୱ ଦୂରୀକରଣ କରାଯିବ ବୋଲି ସୁନେତ୍ର ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version