Latest

‘ପିପିଲି ଉପନିର୍ବାଚନ ବିଜେପି ସପକ୍ଷରେ ଯିବ’

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟାର): ‘ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହୋଇଥିଲେ ଯାହା ହୋଇଥା’ନ୍ତା, ମେ’ ୧୩ରେ ବି ତାହା ହେବ।’ ପିପିଲି ଉପନିର୍ବାଚନ ପାଇଁ ମେ’ ୧୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ ବୋଲି ଘୋଷଣା କରାଯିବା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ସେ କହିଛନ୍ତି, ଏହି ଉପନିର୍ବାଚନରେ ବିଜେପି ସପକ୍ଷରେ ଫଳାଫଳ ଯିବ। କୌଣସି ପ୍ରକାର ଅନୁକମ୍ପା ଭୋଟ୍ ପଡ଼ିବ ନାହିଁ। ଦୀର୍ଘ ଦିନ ଧରି ପିପିଲିବାସୀ ଅବହେଳିତ ହୋଇରହିଛନ୍ତି। ସେଠି ଅରାଜକତା ଚାଲିଛି। ଅରାଜକତା ବିରୋଧରେ ଜନମତ ସୃଷ୍ଟି ହୋଇଛି। ପୂର୍ବ ଯୋଜନା ଅନୁସାରେ ବିଜେପି ସେଠାରେ କାର‌୍ୟ୍ୟ କରୁଛି।

ଗତକାଲି (ଏପ୍ରିଲ ୧୭) ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାର ଥିଲା। କିନ୍ତୁ ୧୪ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଯିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନୂଆ ତାରିଖ ଘୋଷଣା କରିଥିଲେ। ଏହି ଘୋଷଣା ଅନୁଯାୟୀ, ମେ’ ୧୩ ତାରିଖରେ ଏହି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଆଉ ମେ’ ୧୬ ତାରିଖରେ ଭୋଟ୍ ଗଣତି ହେବ।

ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ଖୁବଶୀଘ୍ର ଜାରି ହେବ। ଏପ୍ରିଲ ୨୬ ତାରିଖ ନାମାଙ୍କନପତ୍ର ଦାଖଲର ଶେଷଦିନ ଥିବାବେଳେ ୨୭ରେ ଯାଞ୍ଚ ହେବ। ଏପ୍ରିଲ୍ ୨୯ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର‌୍ୟ୍ୟ ହୋଇଛି। ଅନ୍ୟପକ୍ଷରେ କଂଗ୍ରେସ ସେଠାରୁ କାହାକୁ ପ୍ରାର୍ଥୀ କରିବ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଦଳରେ ଏବେ ୫ ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି। ହେଲେ ଦିବଂଗତ ନେତା ଅଜିତ ମଙ୍ଗରାଜଙ୍କ ପତ୍ନୀ ପ୍ରାର୍ଥୀ ହେଲେ ସବୁଠୁ ଭଲ ହେବ।

Leave a Reply

Your email address will not be published. Required fields are marked *

Most Popular

Exit mobile version