Latest

ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ: ଅନୁଧ୍ୟାନ କରିବ ଏଏଆଇ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ପୁରୀରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଦାବି ଉପରେ କେନ୍ଦ୍ର ସରକାର ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି । ବିମାନବନ୍ଦର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିବାର ମାତ୍ର ୧୨ଦିନ ପୁରୁଣୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏଦିଗରେ ପଦକ୍ଷେପ ନେଇଛି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(ଏଏଆଇ)କୁ ପୁରୀରେ ବିମାନ ବନ୍ଦର ସ୍ଥାପନ ନିମନ୍ତେ ଆବଶ୍ୟକ ଅନୁଧ୍ୟାନ(ପ୍ରି ଫିଜିବିଲିଟି ଷ୍ଟଡି) କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟସଭାରେ ଆଜି ବିଜେଡି ସାଂସଦ ସୁଜିତ୍ କୁମାରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ୨୦୨୧ ଜାନୁୟାରୀରେ ପୁରୀରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ ନିମନ୍ତେ ଅନୁରୋଧ କରିଥିଲେ । ଏଥିପାଇଁ ପୁରୀ ସହର ନିକଟରେ ରାଜ୍ୟ ସରକାର ଜାଗା ମଧ୍ୟ ଚିହ୍ନଟ କରିସାରିଛନ୍ତି । ତେଣୁ ଏହି ଆଧାରରେ ଜାନୁୟାରୀ ୧୨ତାରିଖରେ ବେସାମରିକ ବିମାନ ଚଳାଚଳ ସଚିବ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ବୈଠକରେ ଓଡ଼ିଶା ସରକାରଙ୍କ ଅଧିକାରୀ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(ଏଏଆଇ) ଓ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ ଜେନେରାଲ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଆଧାରରେ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନର ପୂର୍ବ ସମ୍ଭାବ୍ୟ ଅନୁଧ୍ୟାନ କରିବାକୁ ଏଏଆଇକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜାନୁୟାରୀ ୧ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରିବାକୁ ଅନୁରୋଧ କରିଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରାଥମିକତା ଭିତ୍ତିରେ ଏହି ପ୍ରକଳ୍ପ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ସହ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପୁରୀ ରଥଯାତ୍ରା ହେଉଛି ବିଶ୍ୱପ୍ରସିଦ୍ଧ । ଏହାକୁ ଦେଖିବାକୁ ବିଶ୍ୱର ୧୯୨ଟି ଦେଶରେ ପାଳନ କରାଯାଇଥାଏ ତଥା ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପ୍ରତିବର୍ଷ ପୁରୀ ଆସିଥାନ୍ତି । ତେଣୁ ଏଠାରେ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ ହେଲେ ସମଗ୍ର ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ଅଧିକ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version