ରାଜନୀତି

ପ୍ରତାରଣା ଓ ପ୍ରହେଳିକା ସମାବେଶ କରିଛି ବିଜେପି : ବିଜେଡି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଆଳରେ ବିଜେଡି ଆଜି ବିଜେପି ଓ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି।
ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନା ବିଜେପିର ପ୍ରତିଶ୍ରୁତି ସମାବେଶକୁ ସମାଲୋଚନା କରି କହିଛନ୍ତି ଯେ, ବିଜେପି ୨୦୧୪ ମସିହାରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନକରି ଏବେ ସମାବେଶ କରୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ। ବିଜେପି ନେତୃତ୍ୱ ନିଲର୍ଜ ଓ ବେହିଆ। ବିଜେପି ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କେବେ ପାଳନ କରିବ ବୋଲି ସେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି। ଏହାସହିତ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ନିଯୁକ୍ତି , ଏମଏସପି, ପ୍ରତ୍ୟେକଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା,ଇଣ୍ଡଷ୍ଟ୍ରିଆଲ୍‍ କରିଡରରୁ ଓଡ଼ିଶା ବଞ୍ôଚତ ହେବା, ସ୍ୱାମୀନାଥନ୍‍ କମିଶନଙ୍କ ରିପୋର୍ଟକୁ କାର୍ଯ୍ୟକାରୀ ନକରିବା, ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନକରିବା, ରାଉରକେଲାଠାରେ ଇସ୍ପାତ ମେଡିକାଲ୍‍କୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଓ ମେଡିକାଲ୍‍ କଲେଜ୍‍ରେ ପରିଣତ ନକରିବା ଓ ଅନୁସୂଚିତ ଜାତିବର୍ଗର ପିଲାଙ୍କ ଛାତ୍ରବୃତ୍ତିର ଅର୍ଥ ପ୍ରଦାନ ନକରିବା ସହ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଜାଣିଶୁଣି ଅବହେଳା କରିଥିବା ବିଜେଡି ଅଭିଯୋଗ କରିଛି।
ସେହିପରି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ବିଜେପି ପ୍ରତିଶ୍ରୁତି ସମାବେଶ କରିନି ବରଂ ପୁଣିଥରେ ପ୍ରତାରଣା ଓ ପ୍ରହେଳିକାର ସମାବେଶ କରିଛି । ବିଜେପି ବାସ୍ତବରେ ଭାରତୀୟ ଜୁମ୍‍ଲା ପାର୍ଟି ବୋଲି ଆଜି ଭାରତବର୍ଷ ସାରା ସୁପରିଚିତ। ମିଥ୍ୟା ପ୍ରଚାର କରିବା, ଜୁମ୍‍ଲା କହିବା କିମ୍ବା ବିଭ୍ରାନ୍ତିକର ତଥ୍ୟ ଓ ମତ ଦେଇ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବା ପାଇଁ ଅନେକ ଅପଚେଷ୍ଟା ୨୦୧୪ରୁ ବିଜେପି କରିଥିଲେ ହେଁ ସେହି କ୍ରମରେ ଏବେ ଆଉ ଏକ ମିଥ୍ୟା ପ୍ରଚାର ଓ ପ୍ରହେଳିକା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛି। ଏହି କଥିତ ସମାବେଶରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ଓଡ଼ିଶାରେ ସରକାରକୁ ଆସିଲେ ଲୋକଙ୍କ ପାଇଁ କ’ଣ କରିବେ, ତାହା ବଖାଣୁଛନ୍ତି। ଏହି ସମାବେଶରେ କୁହାଯାଉଛି ଯେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ, ଗରିବ ଲୋକଙ୍କୁ ଜମି ପଟ୍ଟା ଓ ଘର ଦିଆଯିବ ଏବଂ ପ୍ରତ୍ୟେକଟି ଘରକୁ ଶୌଚାଳୟ ଓ ପାନୀୟ ଜଳ ଯୋଗାଇ ଦିଆଯିବ। ବିଡମ୍ବନାର ବିଷୟ ହେଉଛି ଯେ ଏହି ବିଜେପି ୨୦୧୪ ନିର୍ବାଚନ ପୂର୍ବରୁ ଅନେକ ଏପରି ପ୍ରତିଶ୍ରୁତି ଦେଇଥିଲା, ଯାହା ପ୍ରତାରଣାରେ ପରିଣତ ହୋଇଛି। ଯଦିଓ ଏହି ପ୍ରତିଶ୍ରୁତିଗୁଡିକ ଗୋଟିଏ ଗୋଟିଏ ଜୁମ୍‍ଲା ଏବଂ ପ୍ରତାରଣାରେ ପରିଣତ ହେଲା, ସେଗୁଡିକର ତାଲିକା ଯଥେଷ୍ଟ ଲମ୍ବା। ବିଜେପି ଅଚ୍ଛେଦିନର ପ୍ରହେଳିକା ଗତ ୫ବର୍ଷ ହେଲା ଦେଖାଇ ଆସୁଥିବାବେଳେ ଓଡ଼ିଶାବାସୀ ବିଜେପିର ମିଥ୍ୟା, ଅପପ୍ରଚାର, ପ୍ରତାରଣା ଓ ପ୍ରବଞ୍ଚନାକୁ ଭଲ ଭାବରେ ବୁଝି ସାରିଛନ୍ତି। ପ୍ରତିଶ୍ରୁତି ସମାବେଶ କରି ଏକ ନୂଆ ଜୁମ୍‍ଲା ଓ ବିଭ୍ରାନ୍ତି କରିବାର ଯେଉଁ ମନୋଭାବ ବିଜେପିର ରହିଛି, ତା’ର ଜବାବ ଆଗାମୀ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ଦୃଢ଼ତାର ସହିତ ଦେବେ। ଚାଷୀ, ମହିଳା, ଯୁବକ, ଛାତ୍ର, ଶ୍ରମିକ, ବରିଷ୍ଠ ନାଗରିକ ବା ଶିଶୁଙ୍କ କ୍ଷେତ୍ରରେ ହେଉ, ବିଜେଡି ଲୋକଙ୍କ ବିଶ୍ୱାସଭାଜନ ହୋଇଛି। କିନ୍ତୁ ବିଜେପି ଓ ତାଙ୍କ ନେତାମାନେ କ୍ରମାଗତ ଭାବରେ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଅନେକ ଚକ୍ରାନ୍ତ ରଚି ଚାଲିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ଏହି ପ୍ରତିଶ୍ରୁତି ସମାବେଶ ତାଙ୍କର ନୂଆ ଚାଲ୍‍। ଏଥିରେ ଓଡ଼ିଶାବାସୀ ପ୍ରଭାବିତ ନହୋଇ ଏହି ମିଥ୍ୟା ପ୍ରତିଶ୍ରୁତିଗୁଡିର କଡ଼ା ଜବାବ ନିର୍ବାଚନରେ ଦେବା ଅପେକ୍ଷାରେ ଅଛନ୍ତି ବୋଲି ବିଜେଡି କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଂପାଦକ ବିଜୟ ନାୟକ, ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version