Latest

ପ୍ରଥମ ଦିନ ଟୀକାକରଣ: ଓଡ଼ିଶାରେ ୮୧%

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): କରୋନା ମହାମାରୀର ମୁକାବିଲା ପାଇଁ ସମଗ୍ର ଦେଶରେ ଆଜିଠୁ ଆରମ୍ଭ ହୋଇଥିବା କୋଭିଡ୍ ଟୀକାକରଣ ପ୍ରକ୍ରିୟାରେ ଓଡ଼ିଶାରେ ସନ୍ଧ୍ୟା ୬ଟା ସୁଦ୍ଧା ୮୧ପ୍ରତିଶତ ଟୀକାଦାନ ସମ୍ଭବପର ହୋଇଛି । ପ୍ରଥମଦିନରେ ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଟୀକାକରଣ କେନ୍ଦ୍ରରେ ୧୬୩୧୪ଜଣ କରୋନା ଯୋଦ୍ଧାଙ୍କୁ ଟୀକାଦାନ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୧୩୨୯୨ଜଣଙ୍କୁ ଏହି ଟୀକା ପ୍ରଦାନ କରାଯାଇଛି । ଟୀକାକରଣ ପ୍ରକ୍ରିୟା ଏବେବି ଜାରି ରହିଥିବାରୁ ଏହି ପରିମାଣ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ସମସ୍ତ ଜିଲ୍ଲାରେ ଆଜିଠୁ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମଦିନରେ ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନଙ୍କୁ ଟୀକା ପ୍ରଦାନ କରାଯାଉଛି । ରାଜ୍ୟରେ ସମସ୍ତ ଜିଲ୍ଲାରେ ମୋଟ ୧୬୧ଟି କେନ୍ଦ୍ରରେ ଟୀକାଦାନ ନିମନ୍ତେ ବ୍ୟବସ୍ଥା ହୋଇଥିଲା । ଏଥିରେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସର୍ବାଧିକ ୧୧ଟି ଲେଖାଁଏ ସ୍ଥାନରେ ଓ ମୟୂରଭଞ୍ଜ ଜିଲ୍ଲାରେ ୧୦ଟି ସ୍ଥାନରେ ଟୀକାଦାନ ବ୍ୟବସ୍ଥା ହୋଇଛି । ପ୍ରଥମଦିନରେ ଖୋର୍ଦ୍ଧା, ଗଞ୍ଜାମ, କଟକରେ ୧୧୦୦ଜଣ ଲେଖାଏଁ କରୋନା ଯୋଦ୍ଧାଙ୍କୁ ଟୀକାଦାନ ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ମୟୂରଭଞ୍ଜରେ ୧୦୦୦ ଓ ଦେବଗଡ଼ରେ ସବୁଠୁ କମ୍ ୨୦୦ଜଣଙ୍କୁ ଟୀକାଦାନ ପାଇଁ ଟାର୍ଗେଟ୍ ରଖାଯାଇଛି । ତେବେ ସନ୍ଧ୍ୟା ୬ଟା ସୁଦ୍ଧା ଅନୁଗୋଳ, ବାଲେଶ୍ୱର, କନ୍ଧମାଳ ଜିଲ୍ଲାରେ ପ୍ରଥମଦିନରେ ଶତପ୍ରତିଶତ ଟାର୍ଗେଟ ପୂରଣ ହୋଇଥିବାବେଳେ ଭଦ୍ରକରେ ୧୦୯ ପ୍ରତିଶତ ଓ କୋରାପୁଟରେ ୧୦୫ ପ୍ରତିଶତ ଟୀକାକରଣ ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଟୀକାକରଣ ପ୍ରକ୍ରିୟାର ଶୁଭାରମ୍ଭ ପରେ ଟୀକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version